ଓଡିଶା

odisha

ETV Bharat / state

ଓଡ଼ିଶା ଲୋକଙ୍କୁ ଘର ନଦେବାକୁ ଦିଲ୍ଲୀରେ ବିଜେପି କରିଥିଲା ଷଡ଼ଯନ୍ତ୍ର: ବିଜେଡି - ବିଜେଡିର ସାମ୍ବାଦିକ ସମ୍ମିଳନୀ

ଆବାସ ବଣ୍ଟନରେ ଦୁର୍ନୀତି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ବିଜେଡିର କାଉଣ୍ଟର ଆଟାକ । ଆଉ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଲୋକଙ୍କୁ ଘର ନଦେବାକୁ ବିଜେପି ସାଂସଦମାନେ ଦିଲ୍ଲୀରେ ଷଡ଼ଯନ୍ତ୍ର କରିଥିଲେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଅଧିକ ପଢ଼ନ୍ତୁ

ଆବାସ ପ୍ରସଙ୍ଗରେ ବିଜେପିକୁ ବିଜେଡିର କାଉଣ୍ଟର ଆଟାକ
ଆବାସ ପ୍ରସଙ୍ଗରେ ବିଜେପିକୁ ବିଜେଡିର କାଉଣ୍ଟର ଆଟାକ

By

Published : Apr 16, 2023, 6:13 PM IST

ଆବାସ ପ୍ରସଙ୍ଗରେ ବିଜେପିକୁ ବିଜେଡିର କାଉଣ୍ଟର ଆଟାକ

ଭୁବନେଶ୍ବର: ଆବାସ ବଣ୍ଟନରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ଆଜି ପୁଣି ବର୍ଷିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ପିଏମ ଆବାସରେ ଘର ବଣ୍ଟା ବିଳମ୍ବ ଓ ଅନୀୟମିତତା ଅଭିଯୋଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟକୁ ଆସିଥିବା ୯.୬୦ ଲକ୍ଷ ଆବାସ ବଣ୍ଟା ନହୋଇ ପଡି ରହଥିବା ସେ ଅଭିଯୋଗ କରିବା ସହ ଅଯୋଗ୍ୟ ଲୋକଙ୍କଠୁ ବିଜେଡି ୨୦ ହଜାର ଲେଖାଏଁ ନେଇଥିବା କହିଥିଲେ । ଯଦି ଇଚ୍ଛାଶକ୍ତି ଅଛି, ୧୫ ଦିନ ଭିତରେ ତାଲିକା କରି ଘର ବାଣ୍ଟନ୍ତୁ ବୋଲି ବିଜେପି ଚେତାବନୀ ଦେବା ପରେ ସେପଟେ ଏହାର କାଉଣ୍ଟର ଜବାବ ଦେଇଛି ବିଜେଡି । ଓଡ଼ିଶା ଲୋକଙ୍କୁ ଘର ନଦେବାକୁ ବିଜେପି ସାଂସଦମାନେ ଦିଲ୍ଲୀରେ ଷଡ଼ଯନ୍ତ୍ର କରିଥିଲେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର କରି ବିଜେଡି ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ବିଜେପିକୁ ଟାର୍ଗେଟ କରି ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, "ବିଜେପି ତାର ଓଡ଼ିଶା ବିରୋଧୀ ମନୋଭାବ ସ୍ପଷ୍ଟ କରିଛି । ବିଜେପିର ଷଡ଼ଯନ୍ତ୍ର ପଦାରେ ପଡ଼ିଛି । ଓଡ଼ିଶା ଲୋକଙ୍କୁ ଘର ନଦେବାକୁ ବିଜେପି ସାଂସଦ ମାନେ ଦିଲ୍ଲୀରେ ଷଡ଼ଯନ୍ତ୍ର କରିଥିଲେ । ଯେଉଁଥିପାଇଁ ଅନେକ ଦିନ ଧରି ଘର ଅଟକି ରହିଥିଲା । ରାଜ୍ୟ ସରକାରଙ୍କ ଚିଠି, ବିଜେଡିର ଚାପ ଓ ବିଜେଡି ସାଂସଦଙ୍କ ପ୍ରୟାସ ଫଳରେ ୧୫ ଲକ୍ଷରୁ ୮ ଲକ୍ଷ ଘର ମଞ୍ଜୁର ହୋଇଛି । ଅବଶିଷ୍ଟ ୭ ଲକ୍ଷ ଘର ଏବେ ମଧ୍ୟ ମିଳିନାହିଁ ।" ତେବେ ସେହି ୭ ଲକ୍ଷ ବାସହୀନ ଲୋକ କୁଆଡେ ଯିବେ ବୋଲି ପ୍ରଶ୍ନ କରିଛି ବିଜେଡି ।

ଏହା ମଧ୍ୟ ପଢ଼ନ୍ତୁ...ଆବାସ ବଣ୍ଟନ ବିଳମ୍ବକୁ ନେଇ ବର୍ଷିଲା ବିଜେପି, 15 ଦିନରେ ତାଲିକା କରିବାକୁ ଚେତାବନୀ

ଇପ୍ସିତା ଆହୁରି କହିଛନ୍ତି, "ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ବିଜେପି ସାଂସଦ ମାନେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ । ୮ ଲକ୍ଷ ଘର ମଞ୍ଜୁର ହୋଇଥିବା ବେଳେ ଉପଯୁକ୍ତ ଲୋକଙ୍କୁ ଘର ଯୋଗାଇଦେବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଏତିକି ବେଳେ ବିଜେପି ଭିତ୍ତିହୀନ, ମନଗଢା କାହାଣୀ କହୁଛି । ବିଜେପିର ଷଡ଼ଯନ୍ତ୍ର ବାବଦରେ ଲୋକେ ଅବଗତ ଅଛନ୍ତି । ସେଥିପାଇଁ ୩୦ରୁ ୩୦ ଜିଲ୍ଲା ପରିଷଦ ସିଟ୍‌ରେ ହାରିଲା ବିଜେପି । ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ୭ ଲକ୍ଷ ଘର ମିଳୁନାହିଁ ।" ଲୋକେ ଉଚିତ୍ ସମୟରେ ଉଚିତ୍ ଜବାବ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି । ଆଜି ପ୍ରଥମେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଆବାସ ଯୋଜନା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଥିଲା ବିଜେପି । ଆଗକୁ ଯଦି ସ୍ବଚ୍ଛ ତାଲିକା ପ୍ରସ୍ତୁତ କରାନଯାଏ, ତାହେଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ ପୃଥ୍ବୀରାଜ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details