ଭୁବନେଶ୍ବର: ବିଜେଡି ସଂସଦୀୟ ଦଳ ବୈଠକ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ଅନୁଷ୍ଠିତ ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ସାଂସଦ ବିଭିନ୍ନ ସ୍ଥାନରୁ ଭିସି ଜରିଆରେ ବୈଠକରେ ଯୋଡ଼ି ହୋଇଥିଲେ । ରାଜ୍ୟର ସ୍ବାର୍ଥକୁ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ନବୀନ । ରାଜ୍ୟର ସ୍ବାର୍ଥରକ୍ଷା ପାଇଁ ଦାବି ଉଠାଇବାକୁ ଦଳୀୟ ସାଂସଦଙ୍କୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟର ଦାବିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ ପାଇଁ ସେ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମ ସରକାର ରୂପାନ୍ତରିତ ଓଡିଶା ଗଠନ କରିବା ପାଇଁ ସମସ୍ତ ପଦକ୍ଷେପ ହାତକୁ ନେଇଛନ୍ତି । 5T ପଦକ୍ଷେପ ଦ୍ବାରା ପ୍ରତ୍ୟେକ କ୍ଷେତ୍ରରେ ସ୍ବଳ୍ପ ସମୟ ମଧ୍ୟରେ ଦୃଶ୍ୟମାନ ପରିବର୍ତ୍ତନକୁ ସୁନିଶ୍ଚିତ କରିବାକୁ ବ୍ୟବସ୍ଥା କରୁଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ 5T ରୂପାନ୍ତରିତ ସ୍କୁଲ ଆମ ବିକାଶ ଲକ୍ଷ୍ୟର ଦୁଇଟି ପ୍ରମୁଖ ସୂଚକ ହୋଇଛନ୍ତି । ଗ୍ରାମୀଣ ଅର୍ଥନୀତିର ଉନ୍ନତି ଉପରେ ଧ୍ୟାନ ଦେଇ ଭିତ୍ତିଭୂମି, କୃଷି କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ କରାଯାଉଛି । ନୀତି ଆୟୋଗ ରିପୋର୍ଟ ଅନୁସାରେ ଦେଶର ବହୁମୁଖୀ ଦାରିଦ୍ର୍ୟର ତୀବ୍ର ହ୍ରାସ ଘଟିଥିବା ୫ ରାଜ୍ୟ ମଧ୍ୟରେ ଓଡିଶା ରହିଛି । ଗ୍ରାମାଞ୍ଚଳରେ ବହୁମୁଖୀ ଦାରିଦ୍ର୍ୟ ୨୦୧୫-୧୬ରେ ୩୨.୬୪ ପ୍ରତିଶତରୁ ୨୦୧୯-୨୦ରେ ୧୭.୭୨ ପ୍ରତିଶତକୁ ହ୍ରାସ ପାଇଛି । ଲକ୍ଷ୍ୟ ହାସଲ କରିବାକୁ ଆମେ ସଠିକ ଟ୍ରାକରେ ଅଛୁ ।"
ସେ ଆହୁରି ମଧ୍ୟ କହିଛନ୍ତି, "ସଂଘୀୟ ବ୍ୟବସ୍ଥାରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ ଯେପରି ସାହାଯ୍ୟ ଓ ସହଯୋଗ ପାଇବା କଥା ତାହା ପାଉନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୪ ବର୍ଷ ପାଇଁ ଆବାସ ପ୍ଲସ ପୋର୍ଟାଲ ବନ୍ଦ କରି ରଖାଯାଇଥିଲା । ବାରମ୍ବାର ଅନୁରୋଧ ପରେ ୮ ଲକ୍ଷ ଘର ମିଳିଛି । କିନ୍ତୁ ଆମର ଆବଶ୍ୟକତା ଥିଲା ୧୫ ଲକ୍ଷ । ଜନଜାତି ତାଲିକାରେ ସାମିଲ ହୋଇନଥିବାରୁ ରାଜ୍ୟର ବହୁ ଜନଜାତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହୋ, ମୁଣ୍ଡାରୀ ଓ ଭୂମିଜ ଭାଷା ୮ମ ଅନୁଚ୍ଛେଦରେ ସାମିଲ ପାଇଁ ଦାବି ଜୋରଦାର କରିବାକୁ ପଡିବ ।"