ଭୁବନେଶ୍ବର: ଚାଷୀଙ୍କ ପାଇଁ ବିଧାନସଭା ଆଗରେ ଧାରଣା ଦେବାକୁ ବିଜେପି ଆଜି ଯେଉଁ ଘୋଷଣା କରିଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡିଶା ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତ୍ତେ ବିଜେପି ପାର୍ଲାମେଣ୍ଟ ସମ୍ମୁଖରେ ଧାରଣା ଦେବା ଉଚିତ । ଏହା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ବିଜେପି ଆଚରଣରୁ ଜଣାପଡୁଛି, ସେମାନେ ବୋଧେ ଭୁଲିଯାଇଛନ୍ତି ଯେ କେନ୍ଦ୍ରରେ ସେମାନଙ୍କ ଦଳର ସରକାର ଅଛି ।
ଏହାବି ପଢନ୍ତୁ- Padmapur ByPoll: ଚାଷୀଙ୍କ ସହ ଅଛି ବିଜେପି, ବିଜୟ ନେଇ ପ୍ରଦୀପଙ୍କ ଦମ୍ଭୋକ୍ତି
ବିଜେଡି ସାଂସଦ କହିଛନ୍ତି ଯେ, ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଉଳ ଉଠାଇବା, ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଫସଲ ବୀମା ସମ୍ବନ୍ଧୀୟ ବିଷୟଗୁଡ଼ିକ ହେଉଛି କେନ୍ଦ୍ରର ଦାୟିତ୍ୱ । ବିଜେପି ପାର୍ଲାମେଣ୍ଟ ସମ୍ମୁଖରେ ଏହି ଧାରଣା ଦେଲେ ସବୁଠାରୁ ଭଲ ହେବ । ଏହା ସହିତ ନିଜ ସରକାରଙ୍କୁ ଚାଷୀ ବିରୋଧୀ ମନୋଭାବ ଛାଡିବାକୁ କହିବ । ପାର୍ଲାମେଣ୍ଟ ଆଗରେ ଧାରଣା ଦେବା ସହିତ କେନ୍ଦ୍ରରେ ଥିବା ତାଙ୍କର ସରକାରଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବଢାଇବାକୁ ବିଜେପି ଚାପ ସୃଷ୍ଟିକରୁ ବୋଲି ସସ୍ମିତ ପରାମର୍ଶ ଦେଇଛନ୍ତି । ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଓଡିଶା ବିଧାନସଭାରେ ୨୦୧୮ ମସିହାରେ ଆସିଥିବା ସଙ୍କଳ୍ପକୁ ବିଜେଡି ବିଜେପି ଏବଂ କଂଗ୍ରେସର ସମସ୍ତ ବିଧାୟକ ସହିତ ସମର୍ଥନ କରିଥିଲେ ।