ଭୁବନେଶ୍ବର:ଦେବଗଡବାସୀଙ୍କୁ ଫମ୍ପା ପ୍ରତିଶ୍ରୁତି ଦେଉଛନ୍ତି ବିଜେପି ନେତା । ୨୦୧୯ ନିର୍ବାଚନୀ ରାଲିରେ ଦେଇଥିବା ମାଳ ମାଳ ପ୍ରତିଶ୍ରୁତି ପାଳନ କଲେନାହିଁ । ଓଡ଼ିଶାର ୭ ଲକ୍ଷ PMAY ଘରକୁ ଷଡଯନ୍ତ୍ର କରି ରୋକିଛନ୍ତି ବିଜେପି ସାଂସଦ । ରାଜନୀତିରେ ତିଷ୍ଠି ରହିବା ପାଇଁ ଓଡିଶାବାସୀଙ୍କୁ ଅପମାନିତ କରୁଛନ୍ତି । ଦେବଗଡରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟର ଏପରି ଜବାବ ରଖିଛନ୍ତି ବିଜେଡି ସାଂସଦ ଡ଼ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି ଯେ, ଓଡ଼ିଶା ବିଜେପିର ଜଣେ ବରିଷ୍ଠ ନେତା ଦେବଗଡ ଗସ୍ତରେ ଯାଇଥିଲେ । ଗ୍ରାମାଞ୍ଚଳ ଗୃହ ବିଷୟରେ ସେ ଯାହା କହିଥିଲେ ତାହା ଅତ୍ୟନ୍ତ ବିଡମ୍ବନାର ବିଷୟ । ଦିଲ୍ଲୀର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ପାଇଁ ୭ ଲକ୍ଷ PMAY ଗୃହକୁ ବିଜେପି ସାଂସଦ ଷଡଯନ୍ତ୍ର କରି ଅଟକାଇଥିଲେ । ତାହା ଏହି ନେତା ଜଣଙ୍କ ସ୍ପଷ୍ଟ କରିବା ଉଚିତ ।
ବିଗତ ୯ ବର୍ଷରେ ଏହି ନେତା ଜଣଙ୍କ ଦେବଗଡକୁ କେତେ ବିକାଶମୂଳକ ପ୍ରକଳ୍ପ ଆଣିଛନ୍ତି, ଦେବଗଡରେ ନେତା କେତେ କେନ୍ଦ୍ରୀୟ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷା ପ୍ରତିଷ୍ଠାନ ଆରମ୍ଭ କରିଛନ୍ତି ତାହାର ଉତ୍ତର ରଖିବାକୁ ଦାବି କରିଛନ୍ତି । ସସ୍ମିତ ପାତ୍ର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ୨୦୧୯ରେ ନିର୍ବାଚନୀ ରାଲିରେ ଏହି ନେତା ଜଣଙ୍କ ଦେଇଥିବା ପ୍ରତିଶ୍ରୁତି କେବେ ବାସ୍ତବରେ ପରିଣତ ହେବ ସେନେଇ ସେ ଦେବଗଡବାସୀଙ୍କୁ ସ୍ପଷ୍ଟ କରିବା ଉଚିତ । ୨୦୧୯ର ନିର୍ବାଚନୀ ପୂର୍ବ ରାଲିରେ ଏହି ନେତା ଦେବଗଡରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କୃଷକମାନଙ୍କୁ କାରଖାନାର ମାଲିକ କରାଯିବ ।