ଓଡିଶା

odisha

ETV Bharat / state

ସର୍ବୋଚ୍ଚ ସ୍ୱଚ୍ଛତା ପାଇଁ ଲୋଡାଯାଇଛି FBI ସହାୟତା: ବିଜେଡି ସାଂସଦ - ନବ ଦାସ ହତ୍ୟାକାଣ୍ଡ

ସସ୍ମିତ କହିଛନ୍ତି ଯେ, ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଗୁଜୁରାଟ ଷ୍ଟେଟ ଫରେନସିକ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞଙ୍କ ଦ୍ୱାରା ନାର୍କୋ-ଆନାଲିସିସର ସମ୍ମୁଖୀନ ହୋଇଥିଲା । ଯାହା ଦେଶରେ ସର୍ବୋତ୍ତମ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Feb 22, 2023, 4:05 PM IST

ଭୁବନେଶ୍ବର: ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ଲୋଡିଛନ୍ତି । ଏଫବିଆଇ ସହାୟତା ପାଇଁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି । ଏହି ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି ଚଳାଇଛି । ନୂଆଦିଲ୍ଲୀର ବିଜୟଚୌକରେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ସସ୍ମିତ କହିଛନ୍ତି ଯେ, ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଗୁଜୁରାଟ ଷ୍ଟେଟ ଫରେନସିକ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞଙ୍କ ଦ୍ୱାରା ନାର୍କୋ-ଆନାଲିସିସର ସମ୍ମୁଖୀନ ହୋଇଥିଲା । ଯାହା ଦେଶରେ ସର୍ବୋତ୍ତମ । ଅଭିଯୁକ୍ତଙ୍କ ଫୋରେନସିକ ସାଇକୋଲୋଜିକାଲ ଆସେସମେଣ୍ଟ ଏବଂ ଲେରେଡ ଭଏସ ଆନାଲିସିସ ଟେଷ୍ଟ ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିଲା । ଯାହା ଏକ କେନ୍ଦ୍ରୀୟ ଅନୁଷ୍ଠାନ ଅଟେ । ବର୍ତ୍ତମାନ ଅଭିଯୁକ୍ତର ଆଚରଣ ସଂକ୍ରାନ୍ତରେ ବିଶ୍ଳେଷଣ ପାଇଁ ଆମେରିକାର ଏଫବିଆଇର ସହାୟତା ଲୋଡାଯାଇଛି । ଏ ସଂକ୍ରାନ୍ତୀୟ ସୁବିଧା ପାଇଁ ଭାରତ ସରକାରଙ୍କୁ ଚିଠି ଲେଖାଯାଇଛି ।

ସେହିଭଳି ଓଡିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଯାଞ୍ଚର ତଦାରଖ କରୁଛନ୍ତି । ନବ ଦାସ ହତ୍ୟା ମାମଲାର ସର୍ବୋଚ୍ଚ ସ୍ୱଚ୍ଛତା ବଜାୟ ରଖିବା ଲାଗି ଏଫବିଆଇର ସହାୟତା ଲୋଡା ଯାଇଛି । ଏଫବିଆଇ ସହାୟତା ପାଇଁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି । ଏହା ଉଚ୍ଚମାନର ଅନୁସନ୍ଧାନକୁ ସୂଚାଉଛି ଯାହା ସ୍ୱଚ୍ଛତା ବଜାୟ ରଖିବା ପାଇଁ କରାଯାଉଛି । ଓଡ଼ିଶା ବିଜେପି ଏହି ଘଟଣାରେ ତାହାର ହୀନ ଏବଂ ଶସ୍ତା ରାଜନୀତି ଜାରି ରଖିପାରେ । କାରଣ ସେମାନେ ଏହି ଭଳି ସମ୍ବେଦନଶୀଳ ଅପରାଧିକ ମାମଲା ଉପରେ ରାଜନୀତି କରିବା ବ୍ୟତୀତ ଅନ୍ୟ କିଛି ଜାଣନ୍ତି ନାହିଁ ବୋଲି ସସ୍ମିତ କହିଛନ୍ତି । ତଦନ୍ତ ନେଇ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଭାରତୀୟ ଜନତା ଦଳର ନେତା ମାନେ ରାଜ୍ୟ ପୋଲିସ ଉପରେ ଯେଭଳି ରୁଚିହୀନ ମନ୍ତବ୍ୟ ହେଉଛନ୍ତି, ତାହା ଚିନ୍ତାଜନକ ଅଟେ ।

ମୋତେ ଦୁଃଖ ଲାଗୁଛି ଯେ ବିରୋଧୀ ଦଳ ବିଶେଷ କରି ଭାରତୀୟ ଜନତା ଦଳ ଏହି ଜଘନ୍ୟ ଘଟଣାର ରାଜନୀତିକରଣ କରିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ । ଓଡିଶା ପୋଲିସ, ଯେ କି ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି, ଏହା ତାର ମନୋବଳକୁ ଦୁର୍ବଳ କରୁଛି । ଅତୀତରେ ଏହିଭଳି ଦୁର୍ଭାଗ୍ୟଜନକ ମର୍ମନ୍ତୁଦ ଘଟଣା ସାମରିକ ବାହିନୀ ତଥା କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହୀନୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି । କିନ୍ତୁ, କେବେ ବି ଏଥିପାଇଁ ପୁରା ସାମରିକ ବା ପୋଲିସ ବାହୀନୀକୁ ନିନ୍ଦିତ କରିବାପାଇଁ ଉଦ୍ୟମ ହୋଇନାହିଁ । ଆମ ଦେଶ ସବୁବେଳେ ଆମର ସାହସୀ ଯବାନ ମାନଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛି । ଦୁର୍ଭାଗ୍ୟର କଥା ଯେ ରାଜ୍ୟ ବିଜେପି ଏ ଘଟଣାରେ ରାଜ୍ୟ ପୋଲିସକୁ ନିନ୍ଦିତ କରିବା ପାଇଁ ଉଦ୍ୟମ କରୁଛି । ରାଜ୍ୟ ବିଜେପି ଓଡିଶାର ଯୁବଶକ୍ତିର ଅପମାନ କରିଛି । ଓଡିଶାବାସୀ ଏଥିପାଇଁ କେବେ ବି କ୍ଷମା ଦେବେ ନାହିଁ । ଜଣେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଯୋଗୁଁ ସମଗ୍ର ପୋଲିସ ବାହୀନୀକୁ ଅଯଥାରେ ଅପରାଧୀ ଆଖ୍ୟା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details