ରାଜ୍ୟସଭା ସାଂସଦଙ୍କ ପ୍ରତିକ୍ରିୟା ଭୁବନେଶ୍ବର:"ବିଆରଏସ ନୁହେଁ ସେ ଦଳ ଭିଆରଏସ । ଯେଉଁ ନେତାମାନେ ଭିଆରଏସ ନେଇ ସାରିଛନ୍ତି ସେମାନେ ଆଉ ରାଜନୀତିରେ ନାହାଁନ୍ତି । ସେମାନଙ୍କୁ ଲୋକେ ବି ଭୁଲି ଗଲେଣି ।" ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ । ନିକଟରେ ବିଆରଏସରେ ମିଶିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, ସ୍ତ୍ରୀ ହେମା ଗମାଙ୍ଗ । ଏଥିସହ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ନବୀନ ନନ୍ଦ, ଚାଷୀ ନେତା ଶେଷଦେବ ନନ୍ଦ, ଅକ୍ଷୟ କୁମାର, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ପୂର୍ବତନ ସାଂସଦ ରାମ ହାଂସଦା, ବାଲିପାଟଣା ପୂର୍ବତନ ବିଧାୟକ ରାଘବ ସେଠୀ, ସୋନପୁର ପୂର୍ବତନ ବିଧାୟକ ଦେବରାଜ ସେଠ, RTI କର୍ମୀ ପ୍ରଦୀପ ପ୍ରଧାନ ଓ ନବନିର୍ମାଣ କୃଷକ ସଙ୍ଗଠନର କିଛି ନେତା । ଏନେଇ ସମସ୍ତେ ହାଇଦ୍ରାବାଦ ଯାଇଥିଲେ ।
ତେବେ ଦଳରୁ ଅଲଗା ହୋଇ ଏଭଳି କାମ କରିଥିବା ଯୋଗୁଁ ସେମାନଙ୍କୁ ଦୃଢ଼ ନିନ୍ଦା ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ । ସିଧା ସଳଖ ଭାବେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଏଥିରେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି । ଏମାନଙ୍କୁ ଲୋକେ ଭୁଲି ବି ଗଲେଣି । ଏ ସମ୍ପର୍କରେ ରାଜ୍ୟସଭା ସାଂସଦ ମୁନା ଖାଁ କହିଛନ୍ତି "ଗୋଟିଏ ଯନ୍ତାରେ ସାପ ନେଉଳ କେବେ ବି ଏକାଠି ରହିପାରିବେ ନାହିଁ । ଯେଉଁମାନେ ଜୀବନ ସାରା ପ୍ରତିଦ୍ବନ୍ଦୀ ହୋଇ ରହିଥିଲେ ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀ । ଉଭୟ ନିର୍ବାଚନ ଲଢ଼ିଆସିଛନ୍ତି । ଜଣେ ଜନତା ଦଳର ହୋଇଥିବା ବେଳେ ଆଉ ଜଣେ କଂଗ୍ରେସ ଦଳର । ଏହି ୨ଜଣ ଗୋଟିଏ ଯାଗାରେ ଏବେ । ତେବେ କଦାପି ସମ୍ଭବ ନୁହେଁ ଉଭୟ ଏକାଠି ରହିବେ ।''
ଅନ୍ୟପକ୍ଷରେ ମୂଳ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଜାତୀୟ ଦଳ ଭାରତ ରାଷ୍ଟ୍ର ସମିତିରେ ପରିଣତ କରିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବେ ଜାତୀୟ ରାଜନୀତିରେ ପ୍ରବେଶ କରିଛନ୍ତି । ପ୍ରଥମ ପଦକ୍ଷେପ ସ୍ୱରୂପ ତେଲେଙ୍ଗାନାର ପଡୋଶୀ ରାଜ୍ୟ ଓଡ଼ିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରେ ଆଖି ପକାଇଛନ୍ତି କେସିଆର । ଓଡିଶାରେ ବିଆରଏସର ଶାଖା ପ୍ରଶାଖାକୁ ସଶକ୍ତ କରିବା ପାଇଁ କେସିଆର ବଡ ଯୋଜନା କରିଛନ୍ତି । ପ୍ରଥମେ ଦକ୍ଷିଣ ଓଡିଶାର ପ୍ରମୁଖ ନେତାମାନଙ୍କୁ ଦଳରେ ସାମିଲ କରିବା ପରେ, ଆସନ୍ତା ମାସରେ ନିଜେ ଓଡ଼ିଶା ଗସ୍ତ କରିବେ । ଏହାସହ ସାରା ରାଜ୍ୟରେ ଦଳର ସଭ୍ୟ ସଂଖ୍ୟା ବୃଦ୍ଧି ସହ ଅଧିକରୁ ଅଧିକ ଓଡିଆ ନେତାଙ୍କୁ ନିଜ ଦଳରେ ସାମିଲ କରିବେ । ଯୋଜନା ଅନୁସାରେ ଦଳ ଆସନ୍ତାବର୍ଷ ସମସ୍ତ 147 ବିଧାନସଭା ଆସନରେ ପ୍ରାର୍ଥୀ ଦେବା ସହ ଲୋକସଭା ନିର୍ବାଚନ ମଧ୍ୟ ଲଢିବ । ଏଥିପାଇଁ ଏବେଠାରୁ ଜୋରଦାର ଅଭିଯାନ ଆରମ୍ଭ ହେବ ବୋଲି ଆଶା ରଖିଛି ବିଆରଏସର ଶାଖା ।
ଗତ 13 ତାରିଖରେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କୁ ସାକ୍ଷାତ କରିଥିଲେ ଗମାଙ୍ଗ ବାପ ପୁଅ । ସେହିଦିନ ଗମାଙ୍ଗ ବାପ ପୁଅ ବିଜେପି ଛାଡି ଭାରତ ରାଷ୍ଟ୍ର ସମିତିରେ ଚଳିତ ମାସ ଶେଷ ସୁଦ୍ଧା ସାମିଲ ହେବେ ବୋଲି ପ୍ରଥମେ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହୋଇଥିଲା । ଜାନୁଆରୀ 17 ଖମାମ ଜାତୀୟ ସମାବେଶ ପରେ ପରେ ବିଆରଏସର ମିଶ୍ରଣ ପର୍ବ ଆରମ୍ଭ ହେବ ବୋଲି ‘ଇଟିଭି ଭାରତ’ ଜାନୁଆରୀ 13ରେ କରିଥିବା ଖବର ପ୍ରସାରଣ ଏବେ ସତ୍ୟ ହୋଇଛି । କେସିଆରଙ୍କୁ ଗମାଙ୍ଗ ବାପ ପୁଅଙ୍କ ସାକ୍ଷାତ ପରେ ପରେ ବିଆରଏସରେ ସାମିଲ ହେବାକୁ ଓଡ଼ିଶା ନେତାଙ୍କ ଲମ୍ବା ଲାଇନ ଲାଗିଥିଲା । କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଚାଷୀ ନେତା ଅକ୍ଷୟ କୁମାର ଶେଷଦେବ ନନ୍ଦ, ଏକାଧିକ ଆଇନଜୀବୀ ଛାତ୍ର ଯୁବ ନେତା ପ୍ରମୁଖ କେସିଆରଙ୍କୁ ସାକ୍ଷାତ କରି ଦଳରେ ସାମିଲ ହେବାକୁ ସମ୍ମତି ଜଣାଇଥିଲେ । ଏହାପରେ ଆଜି ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର