ଝାରସୁଗୁଡ଼ା ଉପନିର୍ବାଚନ ନେଇ ବିଜେଡି ସାଂସଦଙ୍କ ଦମ୍ଭୋକ୍ତି ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଲଢେଇ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ବିଜୟର ବ୍ଲ୍ୟୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେଉଛି । ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡା ସବୁ ଦଳଙ୍କ ଲାଗି ଏକ ପ୍ରକାର ସେମି ଫାଇନାଲ ବୋଲି କୁହାଯାଉଛି । କାରଣ ଝାରସୁଗୁଡାର ଫଳାଫଳ ଜନତାଙ୍କ ମୁଡ୍ ପରଖିବ । ତେବେ ଅନ୍ୟପଟେ ଝାରସୁଗୁଡାରେ ବିଜେଡି ଏକତରଫା ବିଜୟ ହାସଲ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।
ମାନସ କହିଛନ୍ତି, "ଝାରସୁଗୁଡାରେ ଏକପାଖିଆ ନିର୍ବାଚନ ହେବ । ବିଜେଡି ଏକତରଫା ବିଜୟ ହାସଲ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା, କାର୍ଯ୍ୟ, ଶାସନ ପଦ୍ଧତି ଓ ଲୋକପ୍ରିୟତା ଦେଖି ଆମେ ଫଳାଫଳ ଆକଳନ କରୁଛୁ । ବିରୋଧି ଯାହା କହୁଛନ୍ତି, ବାକ୍ୟରେ କହୁଛନ୍ତି । ବାକ୍ୟରେ କହିଲେ ହେବନାହିଁ । କର୍ମରେ କଲେ ହେବ । ତେଣୁ କର୍ମ ଆମେ କରୁଛୁ । ମୁଖ୍ୟମନ୍ତ୍ରୀ ମଧ୍ୟ କର୍ମ କରୁଛନ୍ତି । ବିରୋଧି କେବଳ ବାକ୍ୟବାଣ ମାରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଝାରସୁଗୁଡ଼ା ଜନ ସାଧାରଣଙ୍କର ସ୍ୱର୍ଗତ ନବ ଦାସଙ୍କ ପ୍ରତି ଥିବା ଭଲପାଇବା ଉପନିର୍ବାଚନରେ ପ୍ରତିଫଳିତ ହେବ ।" ବିରୋଧୀ ଯାହା କହିଲେ ବି ନିର୍ବାଚନରେ କିଛି ପ୍ରଭାବ ପଡିବ ନାହିଁ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ମାନସ ।
ତେବେ ଝାରସୁଗୁଡ଼ା ଉପନିର୍ବାଚନ ନେଇ ବିଜେଡି ପକ୍ଷରୁ ପ୍ରଥମେ ପ୍ରାର୍ଥୀ ଘୋଷଣା ହୋଇଛି । ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି । ଝାରସୁଗୁଡା ରଣାଙ୍ଗନରେ ବିଜେଡି ପାଇଁ ସେନାପତି ସାଜିବେ ୩ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ନାୟକ । ଝାରସୁଗୁଡା ଗଡ଼ ଜଗିବା ସହ ପ୍ରଚାର କରିବା ଲାଗି କର୍ମକର୍ତ୍ତା ମଧ୍ୟ ଚୟନ ଚାଲିଛି । ଆସନ୍ତା କିଛିଦିନ ମଧ୍ୟରେ କର୍ମକର୍ତ୍ତାଙ୍କ ତାଲିକା ପ୍ରକାଶ ପାଇବ । ଏନେଇ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଲିକା ପ୍ରସ୍ତୁତ କରୁଛନ୍ତି । ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ସହ ସେ ଆଲୋଚନା କରୁଛନ୍ତି । ବିଜେଡି ସୁପ୍ରିମୋଙ୍କ ଅନୁମୋଦନ ପରେ ତାଲିକା ପ୍ରକାଶ ପାଇବ ।
ସୂଚନା ମିଳିଛି ଯେ, ଝାରସୁଗୁଡା ବିଜୟ ଲାଗି ରଣନୀତି ପ୍ରସ୍ତୁତ କରିଛି ବିଜେଡି । ପ୍ରତି ୱାର୍ଡ ଓ ପଞ୍ଚାୟତ ଜଗିବେ ବିଧାୟକ । ଯେଉଁ ଅଞ୍ଚଳରେ ବିରୋଧୀଙ୍କ ପ୍ରଭାବ ଟିକେ ଅଧିକ ଥିବ ସେଠାରେ ବରିଷ୍ଠ କିମ୍ବା ଏକାଧିକ ନେତାଙ୍କୁ ଦାଇତ୍ବ ଦିଆଯିବ । ଯେପରି କୌଣସି ଅଞ୍ଚଳରେ ବିରୋଧୀଙ୍କ ପ୍ରଭାବ ନିର୍ବାଚନରେ ଦେଖିବାକୁ ନମିଳିବ । ବିଜେଡି ଦିବଂଗତ ମନ୍ତ୍ରୀ ତଥା ବିଧାୟକ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ହେଲେ ଏବେ ପର୍ଯ୍ୟନ୍ତ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଚୟନ ହୋଇପାରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର