ଢେଙ୍କାନାଳରେ ବିଜେପିର ସତ୍ତା ନାହିଁ କହିଲେ ନୃସିଂହ ଭୁବନେଶ୍ବର: ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ସଂକେତ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ସାମରେ ଅମିତ ଶାହାଙ୍କ ଢେଙ୍କାନାଳ ଗସ୍ତ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ତେବେ ବିଜେଡି ଏହାକୁ ସହଜରେ ଗ୍ରହଣ କରିପାରିନି । ପୂର୍ବରୁ ଅମିତ ଶାହା ଆସିଲେ ମଧ୍ୟ କୌଣସି ପ୍ରଭାବ ପଡିନି । ତେବେ ଧର୍ମେନ୍ଦ୍ର ଯେଉଁଠାରୁ ବି ଲଢ଼ିବେ ସେଠାରେ ବିଜେଡି ଜିତିବ ବୋଲି କହିଛନ୍ତି ବିଜେଡି ନେତା ତଥା ଢେଙ୍କାନାଳ ବିଧାୟକ ନୃସିଂହ ସାହୁ ।
୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ନିଜର ଯୋଜନା ଭୋଟରଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବିଜେଡି ନବୀନଙ୍କ ସ୍ବଚ୍ଛ ଶାସନ ଏବଂ ବିଜେପି ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିଷୟରେ ଅବଗତ କରାଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ସଦ୍ୟତମ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହ କେନ୍ଦ୍ର ସରକାରଙ୍କ ଅୟୁଷ୍ମାନ ଯୋଜନା । ତେବେ ଶାସକ ଦଳ ନିଜର ପତିଆରାକୁ ଅକ୍ଷୁର୍ଣ୍ଣ ରଖିବାକୁ ନବୀନଙ୍କ ଭାବମୂର୍ତ୍ତିକୁ ସାମ୍ନାକୁ ଆଣି ଲୋକଙ୍କ ପାଖରେ ରଖୁଛି । ବିଜେପି ମଧ୍ୟ ରାଜ୍ୟରେ ହେଭିୱେଟ ତଥା କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ନିର୍ବାଚନରେ ସାମିଲ କରିବାକୁ ଚାହୁଁଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଲଢ଼ିବା ପାଇଁ ପୂର୍ବରୁ କିଞ୍ଚିତ ସଂକେତ ଦେଇଥିଲେ । ଆସନ୍ତା ୨୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଢେଙ୍କାନାଳ ଏବଂ ଭଦ୍ରକ ଆସିବାର କାର୍ଯ୍ୟକ୍ରମ ଧର୍ମେନ୍ଦ୍ରଙ୍କ ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଖୋରାକ ଯୋଗାଇଛି । ତେବେ ଧର୍ମେନ୍ଦ୍ର ଢେଙ୍କାନାଳରୁ ନିର୍ବାଚନ ଲଢ଼ିବାକୁ ସହଜରେ ଗ୍ରହଣ କରି ପାରିନି ବିଜେଡି । ବିଜେଡି ନେତା ତଥା ଢେଙ୍କାନାଳ ବିଧାୟକ ନୃସିଂହ ସାହୁ ଧର୍ମେନ୍ଦ୍ରଙ୍କ କୌଣସି ପତିଆରା କାମ ଦେବନି ବୋଲି କହିବା ପରେ ଏହାକୁ ନେଇ ରାଜନୀତି ତେଜିଛି ।
ନୃସିଂହ ସାହୁ କହିଛନ୍ତି, "ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ସବୁବେଳେ ବିଜେଡି ସପକ୍ଷରେ ଯାଉଛି । ଆଗକୁ ବି ବିଜେଡି ସପକ୍ଷରେ ଯିବ । ଧର୍ମେନ୍ଦ୍ର ପ୍ରଧାନ ଥରେ ନିର୍ବାଚିତ ହେଲେ ଦ୍ଵିତୀୟ ଥର ନିର୍ବାଚିତ ହୋଇ ଆସିପାରନ୍ତିନି । ଏହା ତାଙ୍କ ଚରିତ୍ର । ତାଙ୍କର କିଛି ପ୍ରଭାବ ପଡିବ ନାହିଁ । ଜିଲ୍ଲାପରିଷଦ ନିର୍ବାଚନରେ ୨୮ରୁ ୨୭ଟି ରେ ବିଜେଡି ଜିତିଛି । ଗୋଟିଏ ଜିତିଛି ବିଜେପି । ଏଥିରୁ ସ୍ପଷ୍ଟ ଯେ ଢେଙ୍କାନାଳରେ ବିଜେପିର ସତ୍ତା ନାହିଁ । ଅନ୍ୟ ଅଞ୍ଚଳ ପାଇଁ କିଛି ହୋଇପାରନ୍ତି, କିନ୍ତୁ ଢେଙ୍କାନାଳରେ ଧର୍ମେନ୍ଦ୍ରଙ୍କ କିଛି ପତିଆରା ନାହିଁ । ଧର୍ମେନ୍ଦ୍ର କ୍ଷେତ୍ର ପ୍ରସ୍ତୁତ କଲେ ବି ଲୋକ ଗ୍ରହଣ କରିବେନି । ତାଙ୍କର ଚାଲିଚଳଣୀ ଲୋକେ ଜାଣିଛନ୍ତି । ଲୋକଙ୍କ କଥା ଶୁଣନ୍ତିନି । ଉପରେ ଧରାଧରି କରି ପତିଆରା ଦେଖାଉଛନ୍ତି । ତୃଣମୂଳସ୍ତରରେ କିଛି ପ୍ରଭାବ ନାହିଁ । ପୂର୍ବରୁ ବି ଅମିତ ଶାହ ଆସିଛନ୍ତି । କିନ୍ତୁ କୌଣସି ପ୍ରଭାବ ପଡିନି । ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଲଢ଼ିବା ନେଇ ଶୁଣାଯାଉଛି । କିନ୍ତୁ ସେ ନିର୍ଣ୍ଣୟ କରି ପାରୁନାହାନ୍ତି କେଉଁଠୁ ଲଢ଼ିବେ ।" ପୁନର୍ବାର ବିଜେଡି ସେଠାରୁ ଯିତିବ ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ ।
ଇଟିଭି ଭାରତ, ଭୁବନେଶ୍ବର