ଓଡିଶା

odisha

By

Published : Apr 14, 2023, 9:28 PM IST

ETV Bharat / state

ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ: ବିଜେଡି ବିଧାୟକ

ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବଢ଼ିଛି ଶାସକ ଦଳର ଅଡ଼ୁଆ । ତେବେ ଏନେଇ ନିଜେ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖି ନଥିଲେ ମଧ୍ୟ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ବିଧାୟକ ଭାଗିରଥି ସେଠୀ । ଅଧିକ ପଢ଼ନ୍ତୁ

ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି
ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି

ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି

ଭୁବନେଶ୍ବର: ବିବାଦୀୟ ହୋଇଛନ୍ତି ବିଜେଡି ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଜୈନକା ମହିଳା ଶ୍ରୀକାନ୍ତଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହେବା ପରେ ବଢ଼ିଛି ଶାସକ ଦଳର ଅଡ଼ୁଆ । ତେବେ ମହିଳା ଜଣଙ୍କ ଖୋଦ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ଘଟଣା ବିରୋଧିଙ୍କୁ ସୁହାଇଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ସହିତ ପୋଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆହ୍ବାନ କରିଛନ୍ତି ବିରୋଧୀ । ତେବେ ମନ୍ତ୍ରୀ ଶ୍ରୀକାନ୍ତ ଅଭିଯୋଗର ଜବାବ ରଖିନଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଭାଗିରଥି ସେଠୀ ।

ଭାଗିରଥି କହିଛନ୍ତି, "ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆସିଥିବା ଶୋଷଣ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ମୋ ଜାଣିବାରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜଣେ ବହୁତ ଭଲ ଲୋକ । ସେ ଏଭଳି କାର୍ଯ୍ୟ କେବେ କରିନଥିବେ । କାରଣ ସେ ସେଭଳି ଚରିତ୍ରର ଲୋକ ନୁହଁନ୍ତି । ଏହା ବିରୋଧୀଙ୍କର ଅପପ୍ରଚାର । ପୂର୍ବରୁ ମଧ୍ୟ ଅନେକ ମନ୍ତ୍ରୀଙ୍କ ନାଁରେ ଅପପ୍ରଚାର କରିଛନ୍ତି ବିରୋଧି । ଅରୁଣ ସାହୁ, ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏଭଳି ବହୁତ ଲୋକ ଓ ନେତାଙ୍କ ନାଁରେ ଅପପ୍ରଚାର କରିଛନ୍ତି । ଏହା ମଧ୍ୟ ତା ଭିତରୁ ଗୋଟିଏ । ଏଠାରେ ବିଜେପି ଓ କଂଗ୍ରେସ ଭାଇ ଭାଇ । ସେମାନେ ମିଶି ଏଭଳି ଅପପ୍ରଚାର କରୁଛନ୍ତି । ବିରୋଧୀଙ୍କର ଏହା ମନଗଢା କାହାଣୀ । ତେଣୁ ଏହା ତଦନ୍ତ ସାପେକ୍ଷ ।" ତେବେ ଏଭଳି ଅପପ୍ରଚାର କଲେ କଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ(ଶ୍ରୀକାନ୍ତଙ୍କୁ) ମନ୍ତ୍ରୀମଣ୍ଡଳରୁ ବାଦ ଦେଇଦେବେ କି ବୋଲି ପ୍ରଶ୍ନ କରିଛନ୍ତି ଭାଗିରଥି ।

କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଁ ନନେଇ ଦକ୍ଷିଣ ମନ୍ତ୍ରୀଙ୍କ ନାଁରେ ଶୋଷଣ ଅଭିଯୋଗ କଥା ଉଠାଇଥିଲେ । କିନ୍ତୁ ମାମଲା ଆପୋଷ ବୁଝାମଣାରେ ସମାଧାନ ହୋଇଯାଇଥିବା ଚର୍ଚ୍ଚା ହେଉଥିଲା । ତେବେ ପୁନର୍ବାର ଗତକାଲି ଚାପି ହୋଇଯାଇଥିବା ମାମଲା ବାହାରକୁ ଆସିଛି । ମହିଳା ଜଣଙ୍କ ଗତକାଲି ସନ୍ଧ୍ୟାରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ନିର୍ଦ୍ଦିଷ୍ଟ ଭାବେ ସେ କଣ ଅଭିଯୋଗ କରିଛନ୍ତି ତାହା ଜଣାପଡିନଥିଲେ ବି ସେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଶୋଷଣ ଅଭିଯୋଗ କରିଥିବା କହିଥିଲେ । ମହିଳା ଜଣଙ୍କ ବିଜୁ ଜନତା ଦଳର ଜଣେ ନେତ୍ରୀ ହୋଇଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details