ଭୁବନେଶ୍ବର: ନବୀନ ନିବାସ ସୋମବାର ବିଳମ୍ବିତ ସନ୍ଧ୍ୟାରେ ବସିଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏଥିରେ ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଜେଡି ସଂଗଠନର 20 ନେତା ସାମିଲ ଥିଲେ । ବୈଠକରେ ମୁଖ୍ୟତଃ ତିନୋଟି ପ୍ରସଙ୍ଗରେ ଆଲୋଚନା ହୋଇଛି । ନୂଆ ବାଚସ୍ପତି ଚୟନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିପରି ଫାଙ୍କା ଥିବା ଏକ ମନ୍ତ୍ରୀ ପଦ ପୂରଣ ଏବଂ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିରୋଧି ଆକ୍ରମଣାତ୍ମକ ମୁଦ୍ରାରେ ଥିବାରୁ ଏହାକୁ ପ୍ରତିହତ କରିବା ଲାଗି ବୈଠକରେ ସୁଚିନ୍ତିତ ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି । ଏଥିରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
କିଏ ହେବେ ପରବର୍ତ୍ତୀ ବାଚସ୍ପତି :
ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ବାଚସ୍ପତି ଥିବା ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇସାରିଛନ୍ତି । ବର୍ତ୍ତମାନ ସେ ଅର୍ଥମନ୍ତ୍ରୀ ପଦରେ ଅଛନ୍ତି । ଆରୁଖ ଅର୍ଥମନ୍ତ୍ରୀ ହେବା ପରେ ବାଚସ୍ପତି ପଦ ଫାଙ୍କା ରହିଛି । ଉପବାଚସ୍ପତି ଥିବା ରଜନୀକାନ୍ତ ସିଂ କାମ ଚଳା ବାଚସ୍ପତି ଭାବେ ଦାୟିତ୍ବ ତୁଲାଉଛନ୍ତି । ହେଲେ ନୂଆ ବାଚସ୍ପତି କିଏ ହେବେ ସେନେଇ ସସପେନ୍ସ ଜାରି ରହିଛି । ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ କେହି ଜଣେ ବାଚସ୍ପତି ହେବାକୁ ମଙ୍ଗୁନଥିବା ଜଣାପଡିଛି । ଶେଷ ପର୍ଯ୍ୟାୟରେ ଏବେ କଟକର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣଙ୍କୁ ବାଚସ୍ପତି ପଦରେ ବସେଇବାକୁ ଦଳ ମନାଉଥିବା ଜଣାପଡିଛି । ଜଣେ ହେଉଛନ୍ତି ବଡ଼ମ୍ବା-ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ଜଣେ ହେଉଛନ୍ତି କୃଷି ମନ୍ତ୍ରୀ ଥିବା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଉଭୟ ବାଚସ୍ପତି ପଦ ଅନିଚ୍ଛୁକ ଅଛନ୍ତି । ଯଦି ରଣେନ୍ଦ୍ର ବାଚସ୍ପତି ହୁଅନ୍ତି, ତେବେ ଆଉ ଜଣେ ବିଧାୟକଙ୍କୁ ଦଳ ମନ୍ତ୍ରୀ କରିବ ।