ଖୋର୍ଦ୍ଧା:ସାଧାରଣ ନିର୍ବାଚନ ଯେତିକି ପାଖୋଉଛି ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି । କିପରି ଜନସାଧାରଣଙ୍କ ଭୋଟ ହାତେଇବେ ସେଥିପାଇଁ ଏବେ ହେଭିଓ୍ବେଟ ନେତାମାନେ ଗାଁ ମୁହାଁ ହେଉଛନ୍ତି । ଏହିଭଳି ପରିସ୍ଥିତିରେ ବିଜୁ ଜନତା ଦଳ ଅପରାଜିତାଙ୍କୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଚେକ ଦେବା ପାଇଁ ଗୋଟି ଚାଳନା ଆରମ୍ଭ କରିଛି । ବିଶେଷକରି ଅପରାଜିତାଙ୍କୁ କାଉଣ୍ଟର କରିବା ପାଇଁ ଶ୍ରୀମୟୀଙ୍କୁ ଅଘୋଷିତ ସାଂସଦ ପ୍ରାର୍ଥୀ ଭାବେ ଗାଁ ଗାଁ ବିଜେଡି ବୁଲାଉଛି ବୋଲି ଧରିଲାଣି ଚର୍ଚ୍ଚା । ଶ୍ରୀମୟୀଙ୍କ ସହିତ କିଛି ଦଳୀୟ ତୁଙ୍ଗ ନେତାମାନେ ମଧ୍ୟ ଏହି ଗାଁ ପରିକ୍ରମାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ସୋମବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ପଦଯାତ୍ରା କରିଛନ୍ତି ଶ୍ରୀମୟୀ ମିଶ୍ର । ତାଙ୍କ ସହ ଦଳୀୟ ତୁଙ୍ଗ ନେତା ସ୍ଥାନୀୟ ବିଧାୟକ ସାମିଲ ହୋଇ ଶତାଧିକ ଲୋକଙ୍କ ସହ ଗ୍ରାମ ପରିକ୍ରମା କରିଛନ୍ତି । ଲୋକଙ୍କ ନିକଟତର ହେବା ସହ ପରିଚିତ ହେବା ପାଇଁ ଶ୍ରୀମୟୀ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ସେହିପରି ଅଘୋଷିତ ଭାବେ ଶ୍ରୀମୟୀ ନାମରେ ନିର୍ବାଚନ ପୂର୍ବରୁ ବିଭିନ୍ନ ସୋଗ୍ଲାନ ମାଧ୍ୟମରେ ପ୍ରଚାର କରିବା ସହ ଗୀତ ବାଜୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶ୍ରୀମୟୀ ଏକ ପ୍ରକାର ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ବୋଲି ଆଲୋଚନା ଜୋର ଧରିଲାଣି ।