ଓଡିଶା

odisha

ETV Bharat / state

ପୁଣି ବିଜେଡିକୁ ପ୍ରଶ୍ନ କରି ଟାର୍ଗେଟ୍‌ରେ ସୌମ୍ୟ, ଅନୁଭବ କହିଲେ ସେ ଜଣେ ସ୍ବାର୍ଥପର ନେତା - ବିଜେଡି ନେତା ଅନୁଭବ ପଟ୍ଟନାୟକ

ଦୈନିକ ଖବର କାଗଜରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲେଖାକୁ ନେଇ କଡା ଜବାବ ଦେଲେ ବିଜେଡି ନେତା ଅନୁଭବ ପଟ୍ଟନାୟକ । ସୌମ୍ୟ ବିଜେପିକୁ ଯିବା ପାଇଁ ଏଭଳି କହୁଛନ୍ତି ଓ ଦଳକୁ ବ୍ଲାକ୍‌ମେଲ୍‌ କରୁଛନ୍ତି ବୋଲି କହିଲେ ଅନୁଭବ । ଅଧିକ ପଢ଼ନ୍ତୁ

ପୁଣି ବିଜେଡିକୁ ପ୍ରଶ୍ନ କରି ଟାର୍ଗେଟ୍‌ରେ ସୌମ୍ୟ
ପୁଣି ବିଜେଡିକୁ ପ୍ରଶ୍ନ କରି ଟାର୍ଗେଟ୍‌ରେ ସୌମ୍ୟ

By

Published : Jun 25, 2023, 3:53 PM IST

ପୁଣି ବିଜେଡିକୁ ପ୍ରଶ୍ନ କରି ଟାର୍ଗେଟ୍‌ରେ ସୌମ୍ୟ

ଭୁବନେଶ୍ବର: ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ଦୈନିକ ଖବର କାଗଜରେ "ଆମ ଘର ହାଲ ଚାଲ" ଆଲେଖ୍ୟରେ 'ମୁଖ୍ୟମନ୍ତ୍ରୀ ସର୍ବଜନ ବିଦିତ ଏବଂ ଯେଉଁ ଅଧିକାରୀ ଜଣଙ୍କ ବୁଲୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅନୁମତି ରହିଛି ନା ନାହିଁ ସେନେଇ ସ୍ପଷ୍ଟ କରନ୍ତୁ' ବୋଲି ଲେଖିଛନ୍ତି । ତେବେ ବିଜେଡିରେ ରହି ସୌମ୍ୟଙ୍କର ବିଜେଡି ପ୍ରତି ଏଭଳି ଆଭିମୁଖ୍ୟକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ସୌମ୍ୟଙ୍କ ମନ୍ତବ୍ୟକୁ ନେଇ ପାଲଟା ଜବାବ ଦେଇଛନ୍ତି ବିଜେଡି ନେତା ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ସୌମ୍ୟ ଜଣେ ସ୍ବାର୍ଥପର ନେତା ଓ ସେ ବିଜେଡିକୁ ବ୍ଲାକ୍‌ମେଲ୍‌ କରୁଛନ୍ତି ବୋଲି କହିଛନ୍ତି ଅନୁଭବ ।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୂର୍ବରୁ ଖଣ୍ଡପଡ଼ା ଆସନରୁ ବିଜେଡି ଟିକେଟରୁ ଲଢ଼ି ବିଧାନସଭାକୁ ଯାଇଥିଲେ ଅନୁଭବ ପଟ୍ଟନାୟକ । ହେଲେ ସୌମ୍ୟରଞ୍ଜନ ବିଜେଡିରେ ମିଶିବା ପରେ ଅନୁଭବଙ୍କୁ ଆଉ ଟିକେଟ ମିଳିନଥିଲା । ତେବେ ଆଜି ସୌମ୍ୟରଞ୍ଜନଙ୍କ ଏଭଳି ଲେଖା ପରେ ଅନୁଭବ ସିଧାସଳଖ ନିଜର କ୍ଷୋଭ ଝାଡ଼ିଛନ୍ତି । ସେ କହିଛନ୍ତି, "ସୌମ୍ୟ ବାବୁ ଜଣେ ସ୍ବାର୍ଥପର ଲୋକ । ସେ ମନ୍ତ୍ରୀପଦ ଲୋଭରେ ବିଜେଡିକୁ ଆସିଥିଲେ । ସେ ଜୀବନସାରା ଅନେକ ରାଜନୈତିକ ଦଳ ବୁଲି ସାରିଛନ୍ତି । ଏବେ ମନ୍ତ୍ରୀମଣ୍ଡଳରେ ଗୋଟିଏ ମନ୍ତ୍ରୀପଦ ଖାଲି ପଡ଼ିଛି । ତେଣୁ ସେହି ମନ୍ତ୍ରୀପଦ ପାଇବା ଆଶାରେ ଦଳକୁ ବ୍ଲାକ୍‌ମେଲ୍‌ କରୁଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ସେ ବିଜେପିକୁ ଯିବା ଚେଷ୍ଟାରେ ରହିଛନ୍ତି । ଯେତେବେଳେ କେନ୍ଦ୍ରରେ କୁସ୍ତିଯୋଦ୍ଧା ଆନ୍ଦୋଳନ କରୁଛନ୍ତି, ବାହାନଗା ରେଳ ଟ୍ରାଜେଡିରେ ସେ ପଦେ ଲେଖିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଶାସନ ବ୍ୟବସ୍ଥା ଭଲ ଚାଲିଛି ବୋଲି ନବୀନଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି । ଆଗାମୀ ଦିନରେ ମଧ୍ୟ ଏହି ସମର୍ଥନ ବଜାୟ ରହିବ ।"

ତେବେ ବିଜେଡି ଶାସନକୁ ନେଇ ସୌମ୍ୟରଞ୍ଜନ ପୂର୍ବରୁ ମଧ୍ୟ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି । ଏଠାରେ ଲୋକପ୍ରତିନିଧି ବଡ଼ ନା ସଚିବ, ସେନେଇ ମଧ୍ୟ ପୂର୍ବରୁ ପ୍ରଶ୍ନ ରଖିଥିଲେ ସୌମ୍ୟ । ପୂର୍ବରୁ କଂଗ୍ରେସର ବିଦ୍ରୋହୀ ନେତାଙ୍କ ଆଲୋଚନାରେ ଯୋଗଦେଇ ସେ କହିଥିଲେ, "ବିଜେପି ସବୁବେଳେ ବିଜେଡି ସହିତ ରହିଛି । ତେଣୁ ସେହି ଦଳ କେବେ ମଧ୍ୟ ବିରୋଧୀ ହୋଇପାରିବ ନାହିଁ ।" ବିରୋଧୀ ଦୃଢ଼ ଥିଲେ ରାଜ୍ୟରେ ଦୁର୍ନୀତି ହେଉନଥାନ୍ତା ବୋଲି ମଧ୍ୟ କହିଥିଲେ ସୌମ୍ୟ । ନିକଟରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନାଁ ନନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବଙ୍କୁ ଟାର୍ଗେଟ କରିଥିଲେ । ଏହାକୁ ନେଇ ସୌମ୍ୟ ନିଜର ଦୈନିକ ଖବର କାଗଜରେ ଲେଖିଥିବା ଆଲେଖ୍ୟକୁ ନେଇ ତାଙ୍କୁ ଦଳ ଭିତରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details