ଓଡିଶା

odisha

ETV Bharat / state

2024 Election: ଫୋକସରେ ପଶ୍ଚିମ ଓଡିଶା, ପାଗ ଭିଡିଲେଣି ଦଳ - 2024 ସାଧାରଣ ନିର୍ବାଚନ

ଆସନ୍ତା 2024 ସାଧାରଣ ନିର୍ବାଚନ ଲାଗି ସମସ୍ତ ଦଳର ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହେଲାଣି ଛକାପଞ୍ଝା । ଅଧିକ ପଢନ୍ତୁ

focus on Western Odisha
focus on Western Odisha

By

Published : Jul 15, 2023, 8:35 PM IST

2024 Election: ଫୋକସରେ ପଶ୍ଚିମ ଓଡିଶା, ପାଗ ଭିଡିଲେଣି ଦଳ

ଭୁବନେଶ୍ବର:ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାର 5 ଲୋକସଭା ଆସନ ସହ ଏହା ଅନ୍ତର୍ଗତ ବିଧାନସଭା ମଣ୍ଡଳୀକୁ ଦଖଲ ଲକ୍ଷ୍ୟରେ ରହିଛି ବିଜେଡି । ଯାହାକୁ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଲୋକେ ଭଲ ପାଇ ଆଶୀର୍ବାଦ କରୁଥିବାରୁ ବିଜେଡି ଭୟଭୀତ ବୋଲି କହିଛନ୍ତି ବିଜେପି ବିଧାୟକ । ଲୋକଙ୍କ ପାଖକୁ ଯାଉନଥିବା ବିରୋଧୀ ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ଭୋଟ ପାଇଁ ବୋଲି ଭାବୁଛନ୍ତି । ସେପଟେ କଂଗ୍ରେସ କହିଛି ସାଧାରଣ ଲୋକଙ୍କ ଫୋକସ ଏବେ କଂଗ୍ରେସ ।

ପଶ୍ଚିମ ଓଡ଼ିଶାର 5ରୁ 5 ଲୋକସଭା କ୍ଷେତ୍ର ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ବିଜେପି ଦଖଲରେ ଅଛି । ସେହିପରି ପଶ୍ଚିମ ଓଡ଼ିଶାରେ 37ଟି ବିଧାନସଭା ଆସନ ରହିଛି । 22ଟି ଆସନ ଏବେ ଶାସକ ଦଳ ପାଖରେ ଥିବା ବେଳେ 8ଟି ଆସନ ବିଜେପି ଓ 4ଟି କଂଗ୍ରେସ ଦଖଲରେ ରହିଛି । ଗୋଟେ CPIM ଖାତାକୁ ଯାଇଛି । ବିଜେପି ଖାତାକୁ ଯାଇଥିବା ପଶ୍ଚିମ ଓଡ଼ିଶାର 5 ଲୋକସଭା ଆସନ ଏବଂ ବରୋଧୀ ହାତରେ ଥିବା 13 ଆସନକୁ ଛଡେଇ ଆଣିବାକୁ ଯୋଜନା କରିଛି ବିଜେଡି । ଏନେଇ ସ୍ବତନ୍ତ୍ର ରଣନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି ବିଜେଡି ନେତୃତ୍ବାଧୀନ ରାଜ୍ୟ ସରକାର । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ବୃଦ୍ଧି ସହିତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏଥିରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ ।

ଏହା ବି ପଢନ୍ତୁ- BJD ଫୋକସରେ ପଶ୍ଚିମ ଓଡିଶା; 5 ଲୋକସଭା ଓ 31 ବିଧାନସଭା ଜିତିବ ଦଳ କହିଲେ ସୁଶାନ୍ତ


ଏନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, "ରାଜ୍ୟ ସରକାରଙ୍କୁ ଭୟ ଘାରିଲାଣି । ପଶ୍ଚିମ ଓଡ଼ିଶାରେ ବିଜେପିକୁ ଲୋକେ ଭଲ ପାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଶୀର୍ବାଦ ଦେଉଛନ୍ତି । ସେଥିପାଇଁ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଫଣ୍ଡକୁ ଦଳୀୟ ଆଧାରରେ ଘୋଷଣା କରୁଛନ୍ତି । ଯେଉଁଠି ତାଙ୍କର ଦଳୀୟ ସ୍ୱାର୍ଥ ଅଛି, ସେ କାମରେ ଟଙ୍କା ବିନିଯୋଗ ହେଉଛି । ପଶ୍ଚିମ ଓଡ଼଼ିଶାର ସ୍ୱାର୍ଥ ବିକାଶରେ ଏହି ଫଣ୍ଡର ବିଶେଷ କାର୍ଯ୍ୟକାରିତା ହେଲା ପରି ଲୋକେ ଅନୁଭବ କରୁନାହାନ୍ତି । 2024 ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ହିଁ ଲୋକେ ଆଶୀର୍ବାଦ ଦେବେ । ଲୋକଙ୍କୁ ପ୍ରଲୋଭନ ଦେଖାଇବା ଲାଗି ବିଜେଡି ଏହି ପ୍ରୟାସ ଚଳାଇଛି । ପଶ୍ଚିମ ଓଡିଶାରେ ବିଜେପିର 5 ସାଂସଦ ଅଛନ୍ତି । ବିଧାୟକ ମଧ୍ୟ 8 ଜଣ ଅଛନ୍ତି । ନିଶ୍ଚୟ ଭାବେ ବିଜେପି ପ୍ରତି ଲୋକଙ୍କର ଆଶୀର୍ବାଦ ରହିଛି । ବିଜେପିର ଲଲିପପ ବ୍ୟବସ୍ଥା ଏଠାରେ କାମ ଦେବନି ।"



ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, " ପଶ୍ଚିମ ଓଡ଼ିଶାରେ ବହୁ ବିଜେପି ସାଂସଦ ଜିତିଛନ୍ତି । ସରକାରକୁ ଆସିବ ବୋଲି ବିଜେଡି ଲାଗିଛି । ତେଣୁ ବିଜେଡି ଟିକେ ଅଧିକ ପଶ୍ଚିମ ଓଡ଼ିଶା ଉପରେ ଫୋକସ କରିଛି । ସେଥିପାଇଁ ପଶ୍ଚିମ ଓଡ଼ିଶା ପାଇଁ ଅନୁଦାନ ଘୋଷଣା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନାଁରେ ପ୍ରତ୍ୟେକ ଗାଁରେ ଘର ହେବ । ଏହା ଦ୍ୱାରା ଲୋକେ ପ୍ରଭାବିତ ହେବେ । ସେ ଘର ତାଙ୍କ କର୍ମୀମାନେ କରିବେ । ଏହାକୁ ବିଜେଡି ଭୋଟରେ ବଦଳେଇବାକୁ ଯୋଜନା କରିଛନ୍ତି । ପଞ୍ଚାୟତକୁ 50 ହଜାର ଟଙ୍କା ବ୍ୟବସ୍ଥା ହୋଇଛି । ଲିଷ୍ଟ ଦେବେ ବିଜୁ ଜନତା ଦଳ ଲୋକ ଓ କାମ କରିବେ ବି ବିଜୁ ଜନତା ଦଳ ଲୋକ । ନିର୍ବାଚନରେ ଜିତିବା ଲାଗି ଫୋକସ କରୁଛନ୍ତି । ରାଜ୍ୟରେ ବିଜେଡି-ବିଜେପିଙ୍କ ପରିସ୍ଥିତି ଭଲ ନାହିଁ । ଉଭୟଙ୍କ ଲଢେଇରେ କଂଗ୍ରେସ ଫାଇଦାରେ ଅଛି । ଏବେ ବିଜେପିରେ ଅଛି ଦକ୍ଷିଣ ଓଡ଼ିଶା । ସେହିପରି ବିଜେଡି ଫୋକ୍ସ କରୁଛି ପଶ୍ଚିମ ଓଡିଶା । କିନ୍ତୁ ସାଧାରଣ ଜନତାଙ୍କ ଫୋକସ କଂଗ୍ରେସ ।"



ଏନେଇ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଫଣ୍ଡ ବଢ଼ିବାକୁ ଆମେ ଦାବି କରୁଥିଲୁ । ମୁଖ୍ୟମନ୍ତ୍ରୀ ତାହାକୁ ବଢାଇଛନ୍ତି । WODCର କମ ଫଣ୍ଡ ଥିବାରୁ ପ୍ରତ୍ୟେକ ଗାଁ ଗଣ୍ଡିରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ସମ୍ପୂର୍ଣ୍ଣ ହୋଇପାରୁନଥିଲା । ଏହାକୁ ସମ୍ପୂର୍ଣ୍ଣ କରିବା ସହ ନୂଆ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ 125 କୋଟି ଟଙ୍କା ପ୍ରଦାନ କରିଛନ୍ତି । ପଶ୍ଚିମ ଓଡିଶାର ସମସ୍ତ ବର୍ଗଙ୍କୁ ସୁହାହିଲା ପରି ବ୍ୟବସ୍ଥା କରାଯାଇଛି । ଲୋକଙ୍କ ଅର୍ଥନୈତିକ ବିକାଶ କିପରି ହେବ ସେ ନେଇ ଯୋଜନା ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର କୋଟି କୋଟି ଟଙ୍କାର କାମ ପ୍ରତ୍ୟେକ ଗାଁ'ରେ ଚାଲିଛି ।

ଏଥିରେ କୌଣସି ରାଜନୀତି ନାହିଁ । ନିୟମ ଅନୁଯାୟୀ କାର୍ଯ୍ୟାଦେଶ ଦିଆଯାଉଛି । ବିରୋଧୀଙ୍କ ଆଖିରେ ହଳଦିଆ ଚଷମା । ତେଣୁ ତାଙ୍କୁ ସବୁ ହଳଦିଆ ଦେଖାଯିବ । ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ଭୋଟ ପାଇଁ ବୋଲି ବିରୋଧୀ ଭାବୁଛନ୍ତି । ଭୋଟ ପାଇଁ ନୁହେଁ, ସମାନ୍ତରାଳ ଭାବେ ଓଡିଶାର ବିକାଶ ପାଇଁ ଉନ୍ନତି କରିବା ପାଇଁ ସେ କରିଛନ୍ତି । ପଶ୍ଚିମ ଓଡିଶାରେ ବିଜେପି ଭୟଭୀତ । କାରଣ ସେମାନେ ସବୁ ସିଟ ହାରିବେ । କୌଣସି ଲୋକସଭା ଓ ବିଧାନସଭା କ୍ଷେତ୍ର ବିଜେପି ଜିତିପାରିବ ନାହିଁ । ତେଣୁ ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ।"


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details