ଭୁବନେଶ୍ବର: ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହତାହାତି ଘଟଣା । ଘଟଣାକୁ ନେଇ ଜୟନାରାୟଣଙ୍କୁ କଡା ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେପି ନେତାଙ୍କ ଅସଲ ରୂପ ପଦାରେ ପଡିଥିବାବେଳେ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେଡି । ଏହା ସହ ଜୟନାରାୟଣଙ୍କୁ ବିରୋଧି ଦଳ ନେତା ପଦରୁ ବିଜେପି ହଟାଉ ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେପଟେ ଏହି ସମୟର ଭିଡିଓ ଟ୍ବିଟରରେ ପୋଷ୍ଟ କରି ଘଟଣାକୁ ନିନ୍ଦା କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଏହି ଭିଡିଓକୁ ନିଜ ଟ୍ବିଟର ପୃଷ୍ଠାରେ ସେୟାର କରି ପ୍ରଣବ ପ୍ରକାଶ ଲେଖିଛନ୍ତି, "ଓଡ଼ିଶାବାସୀ ଦୟାକରି ଦେଖନ୍ତୁ, ଓଡ଼ିଶା ବିଜେପିର ଅସଲ ଚେହେରା । ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବା ବେଳେ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଏ ହେଉଛି ନାରୀଙ୍କ ପ୍ରତି ସମ୍ମାନ । ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାର ଏବଂ ବର୍ବରୋଚିତ ଶାରୀରିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଜଣେ ନାରୀ ପ୍ରତି ଜୟ ନାରାୟଣ ମିଶ୍ରଙ୍କର ଏଭଳି ଆକ୍ରମଣ ଅତ୍ୟନ୍ତ ଲଜ୍ୟାଜନକ । ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ ।" ଏହା ସହ ବିରୋଧୀ ଦଳ ନେତା ଯେଉଁଭଳି ଭାବେ ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ଉପରେ ବର୍ବରୋଚିତ ଶାରୀରିକ ଆକ୍ରମଣ କରିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓଡ଼ିଶାବାସୀ ଆଶା ରଖିଥିବା କହିଛନ୍ତି ପ୍ରଣବ ।
ସେପଟେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, "ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ସର୍ବସମ୍ମୁଖରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଆକ୍ରମଣ କରିଛନ୍ତି । ବିଜେପିର ବିଧାୟକ ଜୟ ନାରାୟଣ ମିଶ୍ର ହେଉଛନ୍ତି ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ବିରୋଧରେ ୧୪ଟି ମାମଲା ରହିଛି । ହତ୍ୟା ଅଭିଯୋଗରେ ଜେଲ ଯାଇ ବେଲରେ ଆସିଛନ୍ତି । ଅନ୍ୟକୁ ଧମକଚମକ ଦେବା ସହ ତାତ୍ସଲ୍ୟ କରି ମନ୍ତବ୍ୟ ଦେବା ତାଙ୍କୁ ମଜା ଲାଗେ । ଲୋକଙ୍କୁ ଧମକ ଦେବା ଓ ଆକ୍ରମଣ କରିବାରେ ତାଙ୍କର ଅଭ୍ୟାସ ରହିଛି । ଆଜି ସେ କର୍ତ୍ତବ୍ୟରତ ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ଆକ୍ରମଣର ଭିଡିଓ ମଧ୍ୟ ଓଡ଼ିଶା ଲୋକଙ୍କ ଆଗରେ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।"