ଭୁବନେଶ୍ବର: ପୁଣିଥରେ କେନ୍ଦ୍ରରେ ଦ୍ବନ୍ଦ୍ବାତ୍ମକ ଷ୍ଟାଣ୍ଡ୍ ନେଲା ବିଜେଡି । ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଲେ ନାହିଁ । ଅନ୍ୟପଟେ ନୂତନ ସଂସଦ ଭବନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେଡିର ସାଂସଦ । ଏଥିରୁ ପ୍ରଶ୍ନ ଉଠିବା ସ୍ବାଭାବିକ, ବିଜେଡିର ଷ୍ଟାଣ୍ଡ କଣ ? କଣ ଚାହୁଁଛି ବିଜେଡି ? କାହିଁକି ଏପରି ଷ୍ଟାଣ୍ଡ୍ ନେଉଛି ବିଜେଡି ?
କ୍ୟାରଟ୍ ଆଣ୍ଡ ଷ୍ଟିକ୍ ଫର୍ମୁଲାରେ ବିଜେଡି ଯାଉଛି: ନୀତି ଆୟୋଗ ବୈଠକରେ ନବୀନ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ କଣ ହେଲା କେଜାଣି, ନବୀନ ଯୋଗଦେଲେ ନାହିଁ । ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁଙ୍କ ମତରେ ବିଜେଡି ବିଭ୍ରାନ୍ତୀକର ଷ୍ଟାଣ୍ଡ୍ ନେଲା । ବିଜେପି ସହିତ ଶାନ୍ତି ବଜାୟ ରଖିବା ପାଇଁ ବିଜେଡିର ଏହା ଏକ ଷ୍ଟ୍ରାଟେଜି ବୋଲି କୁହାଯାଉଛି । କେତେବେଳେ ସମର୍ଥନ କରୁଛି, ତ ଆଉ କେତେବେଳେ ନାରାଜ ପ୍ରଦର୍ଶନ କରୁଛି । ଚିଟଫଣ୍ଡ୍ ସ୍କାମ୍ଠାରୁ ଆରମ୍ଭ କରି ଖଣି ଦୁର୍ନୀତିରେ ଏକାଧିକ ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ରହିଥିବାରୁ, କାଳେ ବିଜେପି ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ ଦୃଷ୍ଟିଭଙ୍ଗି ଆପଣାଇବ, ସେଥିପାଇଁ ବିଜେଡି ବିଲ୍ ପାସ ବେଳେ ବିଜେପିକୁ ସମର୍ଥନ ଦେଉଛି । କିନ୍ତୁ ଆଉ କେତେବେଳେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଦୂରତା ବଜାୟ ରଖୁଛି । ଯେତେବେଳେ ସାହାଯ୍ୟ ଦରକାର ସେତେବେଳେ ବିଜେପିକୁ ସାହାଯ୍ୟ କରୁଛି । ଯାହାକି ବିଜେଡିକୁ ଲାଭ ଦେଉଛି । ବିଜେଡିର ଏପରି ରଣନୀତି ବିଜେପି ନେତା ଓ ରାଜନୈତିକ ସମୀକ୍ଷକଙ୍କୁ ଭାବିବାକୁ ବାଧ୍ୟ କରୁଛି । କାରଣ କେତେବେଳେ ନରମ ତ କେତେବେଳେ ଗରମ ଆଭିମୁଖ୍ୟ ଆପଣଉଛି ବିଜେଡି ।" କ୍ୟାରଟ୍ ଆଣ୍ଡ୍ ଷ୍ଟିକ୍ ଫର୍ମୁଲାରେ ବିଜେଡି ଯାଉଛି ବୋଲି ସେ କହିଛନ୍ତି ।