ଭୁବନେଶ୍ବର: ଉମରକୋଟରେ ବିଜୁ ସେତୁ ଭୁଷୁଡିବା ଘଟଣା । ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ । ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଓ ଆହତଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଜୁନ 2 ତାରିଖ ସୁଦ୍ଧା ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ପ୍ରମାଣ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ମାନବିକ ଅଧିକାର କର୍ମୀ ଅଖଣ୍ଡ ଏନେଇ NHRCରେ ମାମଲା ଦାୟର କରିଥିଲେ । 2021 ଜାନୁଆରୀ 10ରେ ଭୁଷୁଡି ଥିଲା ବିଜୁ ସେତୁ ।
ସୂଚନା ଅନୁଯାୟୀ, 2021 ଜାନୁଆରୀ 10 ତାରିଖରେ ନାଗି ନଦୀର ଜାନିଗୁଡା-ତଳପଦର ରାସ୍ତାରେ ବିଜୁ ସେତୁ ଯୋଜନାରେ ହେଉଥିବା ବ୍ରିଜ୍ ଭୁଷୁଡି ପଡିଥିଲା। ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଶ୍ରମିକ ପ୍ରାଣ ହରାଇଥିଲେ । ଏଥିରେ ପ୍ରକାଶ କାଣ୍ଡି, ରମେଶ ଭୋଇ, ସନ୍ତୋଷ ଭୋଇ ଓ ଅନ୍ୟ ଆଠ ଜଣ ଆହତ ହୋଇଥିଲେ । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଓ ଅନ୍ୟମାନେ ଆହତ ହୋଇଛନ୍ତି ବୋଲି ଦର୍ଶାଇ ମାନବିକ ଅଧିକାର କର୍ମୀ ତଥା ଆଇନଜୀବୀ ଅଖଣ୍ଡ ନୂଆଦିଲ୍ଲୀସ୍ଥିତ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ 11 ତାରିଖରେ ପିଟିସନ୍ ଦାୟର କରିଥିଲେ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ଥଇଥାନ ଏବଂ ଆହତମାନଙ୍କୁ କ୍ଷତିପୂରଣ ଦେବା ସହ ଦୋଷୀ ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଥିଲେ ।