ଭୁବନେଶ୍ବର: ଲୋକମାନଙ୍କୁ ମିଥ୍ୟା ପ୍ରତିଶୃତି ଦେବା । ଦିବା ସ୍ବପ୍ନ ଦେଖାଇବା । ଆଉ ନିର୍ବାଚନ ବୈତରଣୀ ପାର ହେବା । ଏହା ପରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଯିବା । ଏ କଥା ଆମେ ବିଜେପି ସାଂସଦମାନଙ୍କ ଠାରୁ ଶିଖିବାକୁ ପାଉ । ନିର୍ବାଚନ ପରେ ଲୋକଙ୍କ ଆଶା ପାଣି ଫୋଟକା ପରି ମିଳେଇଯାଏ । ରାଜ୍ୟରେ ଚାଲିଥିବା ବିଭିନ୍ନ ଯୋଜନାର ବାସ୍ତବ ଚିତ୍ର ବାବଦରେ ସୂଚନା ଦେବା ସହ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟ ବିଜେପି ନେତା କାହିଁକି ଏନେଇ ମୁହଁ ଖୋଲୁ ନାହାନ୍ତି ଓ ନିଜ ଦଳର କେନ୍ଦ୍ରୀୟ ନେତାଙ୍କୁ କାହିଁକି ପ୍ରଶ୍ନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଲେନିନ ମହାନ୍ତି ।
ଶ୍ରୀମୟୀ କହିଛନ୍ତି ଯେ, କଟକ-ସମ୍ବଲପୁର ଜାତୀୟ ରାଜପଥ ନମ୍ବର 55ର କାମ ଦୀର୍ଘ ଦିନ ହେବ ମନ୍ଥର ଗତିରେ କାମ ଚାଲିଛି । ଦୀର୍ଘ 9 ବର୍ଷ ହେଲା ଏହାର କାମ ଚାଲିଛି । କେତେବେଳେ କାମ ଚାଲୁଛି, ଆଉ କେତେବେଳେ ବନ୍ଦ ରହୁଛି ଏ କଥା କାହାକୁ ଜଣାନାହିଁ । କିଛି ସ୍ଥାନରେ କାମ ସମ୍ପୂର୍ଣ୍ଣ ବନ୍ଦ । ହେଲେ କେବେ କାମ ସରିବ ତାହାର ଉତ୍ତର କାହା ପାଖରେ ନାହିଁ । ସଂସଦରେ ବିଜେଡି ସାଂସଦ ସ୍ବର ଉତ୍ତୋଳନ କରୁଛନ୍ତି । କିନ୍ତୁ ବିଜେପି ସାଂସଦ ମାନେ ଚୁପ । କଟକ-ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ କେବେ ଶେଷ ହେବ ସେ ନେଇ ଆଜି ଯାଏ ବିଜେପି ସାଂସଦ କେହି କେନ୍ଦ୍ର ଆଗରେ ଏହି ପ୍ରଶ୍ନ କଲେନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଯେଉଁ ଜିଲ୍ଲାରେ, ସେ ରାସ୍ତା ଦେଇ ଜାତୀୟ ରାଜପଥ ଯାଇଛି । କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦ ମାନେ ସେହି ରାସ୍ତା ଦେଇ ନିଶ୍ଚୟ ଯାଉଥିବେ । କିନ୍ତୁ ଲୋକଙ୍କ ସମସ୍ୟା ତାଙ୍କ ନଜର ଆଢୁଆଳରେ ରହିଯାଉଛି ।
ଅଧିକ ପଢନ୍ତୁ- ୯ବର୍ଷରେ ବଢିଲାଣି ୩ ଗୁଣା LPG ଦର; କାଲି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି
2015ରେ କୋଷ୍ଟାଲ ହାଇୱେ ପାଇଁ ଘୋଷଣା କରାଯାଇଥିଲା । ରାମେଶ୍ବରମରୁ ଦିଘା ପାଇଁ ଏହି ପ୍ରସ୍ତାବ ଥିଲା । ପ୍ରସ୍ତାବଟି ଲୋକଙ୍କୁ ଖୁସି କରିଥିଲା । କାରଣ 7ଟି ଉପକୂଳ ଜିଲ୍ଲାକୁ ଏହି କୋଷ୍ଟାଲ ହାଇୱେ ସଂଯୋଗ କରିବ ବୋଲି କୁହାଯାଇଥିଲା । ଅଞ୍ଚଳର ବିକାଶ ସହ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କିନ୍ତୁ ସେ ସବୁ ସ୍ବପ୍ନ ଧୂଳିସାତ ହୋଇଗଲା । ଘୋଷଣା ହୋଇଥିବା 8000 କୋଟିର ଏହି ପ୍ରକଳ୍ପ ପାଇଁ 8 କୋଟି ଟଙ୍କାର ଡିପିଆର ପ୍ରସ୍ତୁତ ହେବାର ଶୁଣିବାକୁ ମିଳିନାହିଁ । ନଥିପତ୍ର ଓ ଫାଇଲରେ କୋଷ୍ଟାଲ ହାଇୱେ ଲୁଚିକି ରହିଛି । ଆଜି ପର୍ଯ୍ୟନ୍ତ ସେଠାରେ ବାଲି ମୁଠାଏ ପଡ଼ିଲାନାହିଁ । ଏ ବାବଦରେ ମଧ୍ୟ ବିଜେପି ସାଂସଦ ପାଟି ଖୋଲିଲେ ନାହିଁ । କେବଳ ରାଜ୍ୟବାସୀଙ୍କୁ ସେମାନେ ଜଣାନ୍ତୁ ଯେ ଯୋଜନା ଫାଇଲରୁ ବାହାରୀ କାମ ହେବ ନା ନାହିଁ ।