ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଯାଇଛନ୍ତି । ଗଜପତି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାମର ସେ ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ବିଜୁ ଏକ୍ସପ୍ରେସ ୱେ - ୧ର ନିର୍ମାଣ କାମ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି । ଏହା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ଏହା ଖୁବ ଗରୁତ୍ୱ ବହନ କରେ । ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ । ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ନୂଆ ପ୍ରକଳ୍ପ (Green Field Project) । ଏହା ୪ଟି ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ । ଗଞ୍ଜାମରେ ୪୩ କି.ମି, ଗଜପତିରେ ୪୭ କି.ମି, ରାୟଗଡାରେ ୧୫୮ କି.ମି ଓ କୋରାପୁଟରେ ୫୭ କି.ମି. ରାସ୍ତା ତିଆରି କରାଯିବ । ଏହା ଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଗସ୍ତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ କମିଯିବ । ବ୍ରହ୍ମପୁରରୁ ମୋହନା ମାତ୍ର ୪୫ ମିନିଟ ଲାଗିବ । ରାୟଗଡାରୁ ମୋହନା ମାତ୍ର ଦେଢ ଘଣ୍ଟା ଲାଗିବ । ବର୍ତ୍ତମାନ ଏହା ୪ ଘଣ୍ଟା ସମୟ ଲାଗୁଛି ।