ଭୁବନେଶ୍ବର: ହକି ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା । ସାରା ରାଜ୍ୟରେ ଏବେ ହକି ଫିଭର । ଓଡ଼ିଶାରେ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଏନେଇ ପ୍ରତିଷ୍ଠା ହୋଇଛି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ହକି ବିଶ୍ବକପ ଖେଳିବାକୁ ଦେଶ ବିଦେଶରୁ ଏଠାକୁ ଆସିବେ ଖେଳାଳି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ରାଉରକେଲାରୁ ସାଇକେଲ ଯାତ୍ରା କରି ନବୀନ ନିବାସରେ ପହଞ୍ଚିଛନ୍ତି ୧୫୦ ସାଇକେଲ ଚଳାଳୀ ।
ଓଡ଼ିଶାରେ ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବାବେଳେ ରାଉରକେଲାରେ ହୋଇଥିବା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସେମାନଙ୍କୁ ନୂଆ ଅନୁଭୂତି ଦେଇଛି । ସେମାନଙ୍କର ପରିଚୟକୁ ଆହୁରି ଦୃଢ଼ୀଭୁତ କରିଛି । ଖାଲି ସେତିକି ନୁହେଁ ସେଠାରେ ହକି ବିଶ୍ଵକପର ଆୟୋଜନ ମଧ୍ୟ କରାଯାଉଛି । ଏହା ପ୍ରତିଟି ରାଉଲକେଲାବାସୀଙ୍କ ପାଇଁ ଖୁସି ଓ ଗର୍ବର ବିଷୟ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ସୁନ୍ଦରଗଡ ଜିଲ୍ଲାର ୭ ଟି ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୧୫୦ ଯୁବକ ଆଜି ସାଇକେଲ ଯାତ୍ରା କରି ନବୀନ ନିବାସରେ ପହଞ୍ଚିଛନ୍ତି । ପ୍ରାୟ ୨୮୦ କିଲୋମିଟରରୁ ଊର୍ଦ୍ଧ୍ବ ସାଇକେଲ ଚଳାଇ ରାଉରକେଲାରୁ ନବୀନ ନିବାସ ଆସିଥିଲେ ଏହି ୧୫୦ ସାଇକେଲ ଚଳାଳୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କୁ ଧନ୍ୟବାଦ ଦେଇ ଖୁସି ପ୍ରକାଶ କରିଛନ୍ତି ।