ଭୁବନେଶ୍ବର : କଥାରେ ଅଛି ରକ୍ତ ଦାନ ମହତ୍ ଦାନ । ମରଣ ସହ ଲଢେଇ କରୁଥିବା ଲୋକଙ୍କ ପାଇଁ ଜରୁରୀ ସମୟରେ ରକ୍ତଦାନ ସଂଜୀବନୀ ଭଳି କାର୍ଯ୍ୟ କରିଥାଏ । ସମାଜରେ ଏମିତି ଅନେକ ଲୋକ ମାନବିକତାକୁ ପାଥେୟ କରି ସ୍ବଇଚ୍ଛାରେ ରକ୍ତ ଦାନ କରିଥାନ୍ତି । ଏଭଳି ଜଣେ ରକ୍ତଦାତା ହେଉଛନ୍ତି ଭୁବନେଶ୍ବର କଳାରାହାଙ୍ଗର ରାକେଶ ମହାଭୋଇ । ସେ କେବଳ ରକ୍ତ ଦାନ କରିବା ସହ ପ୍ଲେଟଲେଟ ବା sdp (single donor platelate) ଦେଇ ରେକର୍ଡ କରିଛନ୍ତି । ୩୧ ବର୍ଷୀୟ ରାକେଶ ଏଯାଏଁ ୫୦ ଥର ପ୍ଲେଟଲେଟ ଦାନ କରି ଅନେକ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ସେ ଏହି ମହତ୍ କାର୍ଯ୍ୟ ୨୦୧୭ ମସିହାରୁ କରି ଆସୁଛନ୍ତି ।
ଅତୀତରେ ଜଣେ କର୍କଟ ରୋଗୀଙ୍କୁ ରକ୍ତ ଦାନ ପାଇଁ ଯାଇ ରାକେଶ ପ୍ଲେଟଲେଟ ଦାନର ଆବଶ୍ୟକତା ଓ ମହତ୍ଵକୁ ବୁଝିପାରିଥିଲେ । ପ୍ଲେଟଲେଟ୍ ଦାନକୁ ନେଇ ସେ କହିଛନ୍ତି ଯେ ସାଧାରଣ ରକ୍ତ ଦାନଠାରୁ ଏହା ଭିନ୍ନ। ପ୍ଲେଟଲେଟ୍ ଦାନରେ ଅପେକ୍ଷାକୃତ ଅଧିକ ସମୟ ଲାଗିଥାଏ ଓ ଦାତା ଦାନ କରିବା ପରେ ଦୁର୍ବଳ ହୋଇ ପଡିଥାନ୍ତି। କିନ୍ତୁ କିଛି ସମୟ ପରେ ସେ ସୁସ୍ଥ ହୋଇଥାନ୍ତି । ସାଧାରଣ ଭାବେ ସମସ୍ତେ ତ ରକ୍ତ ଦେଇପାରିବେ, ହେଲେ ପ୍ଲେଟଲେଟ ରକ୍ତଦାତା ବହୁତ କମ ମିଳନ୍ତି । ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ପ୍ଲେଟଲେଟ ଦାନ କରିପାରିବେ । ତେଣୁ ଏହି ରକ୍ତ ଦାନ ପାଇଁ କମ ଲୋକ ଯୋଗ୍ୟ ହୋଇଥିବା ବେଳେ ଯେଉଁ ମାନେ ଏଥିପାଇଁ ଯୋଗ୍ୟ ସେମାନେ ଏହା ଦାନ କରନ୍ତୁ ବୋଲି ରାକେଶ ଆହ୍ବାନ ଦେଇଛନ୍ତି । ଅନ୍ୟପଟେ ରାକେଶଙ୍କ ଏହି ବଦାନ୍ୟତାକୁ ନେଇ କମିସନରେଟ ପୋଲିସ ଠାରୁ ଆରମ୍ଭ ଆରମ୍ଭ କରି ଅନେକ ସ୍ବେଛାସେବୀ ସଙ୍ଗଠନ ତାଙ୍କୁ ସମ୍ମାନିତ କରିଛନ୍ତି ।