ଭୁବନେଶ୍ବର: ଆଜି ହେଉଛି ଇଂରାଜୀ ନବବର୍ଷ (New Year 2023) । ସାରା ବିଶ୍ବ ଧୁମଧାମରେ ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି ରାଜଧାନୀବାସୀ । ଓଡ଼ିଶାବାସୀଙ୍କ ସ୍ବତନ୍ତ୍ର ଓଡ଼ିଆ ନବବର୍ଷ ଥିଲେ ସୁଦ୍ଧା ରାଜ୍ୟବାସୀ ଇଂରାଜୀ ନବବର୍ଷକୁ ଧୁମଧାମର ସହିତ ପାଳନ କରିଥାନ୍ତି । କାରଣ ଇଂରାଜୀ କ୍ୟାଲେଣ୍ଡରର ତାରିଖ ସହ ଆମର ଦୈନନ୍ଦିନ ଜୀବନ ଚାଲିଥାଏ । ଏଣୁ ଏହି ଦିନର ଆରମ୍ଭରେ ଭୁବନେଶ୍ବରବାସୀ ପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି (Bhubaneswar People celebrate new year ) ।
ନୂଆବର୍ଷ ଅବସରରେ ରାଜଧାନୀରେ ଥିବା ମନ୍ଦିରଠାରୁ ଆରମ୍ଭ କରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ଉପାସନା ପୀଠ ଚର୍ଚ୍ଚ ସବୁଠି ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ସମସ୍ତେ ଆଜି ଦିନ ଭଗବାନଙ୍କୁ ଆରାଧନା କରିବା ସହ ପରିବାର ପ୍ରିୟଜନଙ୍କ ମଙ୍ଗଳ କାମନା କରିଛନ୍ତି । ସକାଳୁ ପୂଜା ପାଇଁ ରାମ ମନ୍ଦିରରେ ଭିଡ଼ ଲାଗି ରହିଛି । ଅନ୍ୟପଟେ ପରିବାର ପ୍ରିୟଜନଙ୍କୁ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଦେବା ପାଇଁ ଫୁଲ ଦୋକାନରେ ମଧ୍ୟ ଲୋକଙ୍କ ଭିଡ ଲାଗି ରହିଥିଲା । ରଙ୍ଗୀନ ଫୁଲତୋଡା ସହ ଗୋଲାପର ନାଲିନାଲି ରଙ୍ଗରେ ରଙ୍ଗୀନ ହୋଇଛି ଫୁଲ ଦୋକାନ ।