ଭୁବନେଶ୍ବର:ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସ୍ବାକ୍ଷରିତ ହୋଇଛି ଚୁକ୍ତିନାମା । ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଗଡ଼ିବ । ପ୍ରକଳ୍ପ ପାଇଁ ୬୨୫୫ କୋଟି ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ପ୍ରକଳ୍ପ କାମ ୪ ବର୍ଷରେ ସରିବ । ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପରେ ଏହା ସବୁଠୁ ବଡ଼ ଅର୍ଥ ବିନିଯୋଗ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ (BMRC) ଏବଂ ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ୪ ବର୍ଷ ମଧ୍ୟରେ ସରିବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ । ଗମନାଗମନ କ୍ଷେତ୍ରରେ ମେଟ୍ରୋ ପ୍ରକଳ୍ପ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ହେଉଥିବାରୁ ନବୀନ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ପ୍ରକଳ୍ପର ଟର୍ଣ୍ଣ-କି ପରାମର୍ଶଦାତା ରହିବେ ।
ଗତ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ୪ ବର୍ଷ ମଧ୍ୟରେ ପ୍ରକଳ୍ପକୁ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଚୁକ୍ତିନାମା ସ୍ବାକ୍ଷରିତ କାର୍ଯ୍ୟକ୍ରମରେ ଯୋଗଦେଇ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ, ଏହା ରାଜ୍ୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ମୁହୂର୍ତ୍ତ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜ୍ଞାନ ଏବଂ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, କଟକ-ଭୁବନେଶ୍ବରକୁ ବାସ୍ତବରେ ଟ୍ଵିନ୍ ସିଟି ରୂପ ଦେବାରେ ଏହି ପ୍ରକଳ୍ପର ବଡ଼ ଭୂମିକା ରହିବ । ଏହି ମେଟ୍ରୋ ପ୍ରକଳ୍ପ କେବଳ ଟ୍ରାଫିକ ନିୟନ୍ତ୍ରଣ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଅଧ୍ୟକ୍ଷ ବିକାଶ କୁମାର MOU ସ୍ବାକ୍ଷର ସମୟରେ ଉପସ୍ଥିତ ଥିଲେ ।