ଭୁବନେଶ୍ବର: ପଶ୍ଚିମା ଝଡ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ହେବାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଝଡିବର୍ଷା ଦେଖିବାକୁ ମିଳିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ଘଡଘଡି ଓ ପବନ ବହିଥିବା ଦେଖିବାକୁ ମିଳିଛି । ଏହି ଝଡବର୍ଷା ପଲଏ ଗରମରୁ ଆଶ୍ବସ୍ତି ମିଳିଛି । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏହାସହ ପବନ ମଧ୍ୟ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ବୋଲଗଡ, ବାଲିପାଟଣା ଓ ବାଲିଅନ୍ତା, ସେହିପରି କଟକ ଜିଲ୍ଲାର କଟକ, ନିଆଳି, ନରସିଂହପୁର, ବାଙ୍କୀ, ବଡମ୍ବା, ଡମପଡା, ଆଠଗଡ, ବାରଙ୍ଗ ଓ କଣ୍ଟାପଡା ବ୍ଲକରେ ଘଡଘଡି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାବେଳେ ଏବେବି ମଧ୍ୟ ଝିପିଝିପି ବର୍ଷା ଜାରିରହିଛି । ଆସନ୍ତାକାଲି ବର୍ଷାର ବିସ୍ତୃତି ବଢିବାର ସମ୍ଭାବନା ଥିବାବେଳେ ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ପଶ୍ଚିମା ଝଡ । ଏବେ ମଧ୍ୟ ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ । ଏହି ଝଡର ପ୍ରଭାବରେ ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବ । ପରେ ପୁଣି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବର୍ଷାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ସ୍ୱଭାବିକ ଠାରୁ କମ ହୋଇଛି ।