ଓଡିଶା

odisha

ETV Bharat / state

ଆହୁରି 5ଦିନ ରହିବ କାଳବୈଶାଖୀ ପ୍ରଭାବ, ଉତ୍ତର ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ - ଉତ୍ତର ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ଯାହା ଆସନ୍ତା ୨୪ ଘଣ୍ଟା ଯାଏଁ ବଳବତ୍ତର ରହିବ। ଉତ୍ତର ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଅଧିକ ପଢନ୍ତୁ

thunderstorm in odisha for next 5days
thunderstorm in odisha for next 5days

By

Published : May 1, 2023, 6:31 PM IST

ଉତ୍ତର ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଲବୈଶାଖୀ ବର୍ଷା । ଗତ 24 ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଭଲ ବର୍ଷା ରେକର୍ଡ ହୋଇଛି । କନ୍ଧମାଳ ଖଜୁରିପଡାରେ ସର୍ବାଧିକ ୮୩.୧ ମିଲି ରେକର୍ଡ ହୋଇଥିବା ବେଳେ ମାଲକାନଗିରି ଚିତ୍ରକୋଣ୍ଡାରେ ୪୨.୨ ମିଲି ମିଟର ବର୍ଷା ହୋଇଛି। ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ମେଘୁଆ ପାଗ ସହ ପବନ ବହିଛି । ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହୁଥିବାରୁ ଏହାକୁ ନେଇ ପାଗ ମେଘୁଆ ରହିଛି । ଏଥିସହ ଏହାର ପ୍ରଭାବରେ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ପ ଆସୁଛି । ତେଣୁ ବାୟୁ ମଣ୍ଡଳ ଉପରି ଭାଗରେ ଥିବା ଶୁଷ୍କ ବାୟୁ ଓ ଜଳୀୟବାଷ୍ପ ମିଶି ଏଭଳି ପାଗ ପରିବର୍ତ୍ତନ ହେଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ଯାହା ଆସନ୍ତା ୨୪ ଘଣ୍ଟା ଯାଏଁ ବଳବତ୍ତର ରହିବ । ଆଜି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ବର୍ଷାର ସମ୍ଭାବନାକୁ ନେଇ ୪ଟି ଜିଲ୍ଲା ତଥା ମାଲକାନଗିରି, ରାୟଗଡା ,କୋରାପୁଟ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଥିସହ ଉତ୍ତର ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଚେତାବନୀ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ଵର, ଭଦ୍ରକ, ଯାଜପୁର ।

କୁଆପଥର ବର୍ଷା ସହ ବିଜୁଳି ଘଡଘଡି ବର୍ଷା ସମ୍ଭାବନା ରହିଥିବାରୁ ସତର୍କତାର ସହ ବାହାରକୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଅମଳ ହେଉଥିବା ରବି ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପୂର୍ବାନୁମାନ କରାଯାଉଛି । ଦକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ଏଭଳି ପାଗ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରହିବ । ସେହିପରି ୫ ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ସହ ତାପମାତ୍ରା ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜି ଭୁବନେଶ୍ଵର କଟକରେ ଦିନର ତାପମାତ୍ରା ୩୧ ଡିଗ୍ରୀ ପାଖାପାଖି ରହିଥିବା ବେଳେ ଆଗାମୀ ୫ ଦିନ ଯାଏଁ ସ୍ବାଭାବିକ ତାପମାତ୍ରା ରହିବ । ମୋଟାମୋଟି ଭାବେ ଆସନ୍ତାକାଲିଠାରୁ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଅନ୍ୟପଟେ ୫ରୁ ୧୧ ତାରିଖ ମଧ୍ୟରେ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ବଙ୍ଗୋପସାଗର ଓ ଶ୍ରୀଲଙ୍କା ପାଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦିନରେ ଏହାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details