ଭୁବନେଶ୍ବର:ଅସହ୍ୟ କରୁଛି ତାତି । ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସିଝିବ ସାରା ଓଡ଼ିଶା। ସ୍ଵାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା । ତେବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ଶୁଷ୍କ ଉତ୍ତପ୍ତ ବାୟୁ । କଳାବୈଶାଖୀ ବର୍ଷା ର ଅଭାବ ତଥା ସୂର୍ଯ୍ୟଙ୍କର ପ୍ରଖର କିରଣ ତାପମାତ୍ରା ବୃଦ୍ଧିର କାରଣ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ବଢିଛି ତାତି। ଏନେଇ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା , ସମ୍ବଲପୁର , ସୁନ୍ଦରଗଡ , ସୋନପୁର , ବଲାଙ୍ଗୀର।
ଅନ୍ୟପଟେ ୧୬ ତାରିଖରେ ୮ ଜିଲ୍ଲାକୁ ହିଟ ୱେଭ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ସେହି ସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ , ଝାରସୁଗୁଡା, ସମ୍ବଲପୁର , ଦେବଗଡ, ସୋନପୁର , ଅନୁଗୋଳ, ବଲାଙ୍ଗୀର , ବୌଦ୍ଧ । ତେବେ ୨୦ ତାରିଖ ସକାଳ 8 ଟା 30 ପର୍ଯ୍ୟନ୍ତ ଏଭଳି ତାତି ଏବଂ ଗୁଳୁଗୁଳି ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏଥିସହିତ ଗତ ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ାରେ ୪୩.୮ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ଭୁବନେଶ୍ଵର ରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସେହିପରି ଆଜି ମଧ୍ୟ ୩୮ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି ।