ଭୁବନେଶ୍ବର:ଦିନକ ପରେ ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବା ପାଇଁ ସବୁଠି ଉତ୍ସବର ମାହୋଲ । ଚଳଚଞ୍ଚଳ ହେଲାଣି ହାଟ ବଜାର । ସମସ୍ତ ବଜାରରେ ଲାଗିଛି ଭଳିକି ଭଳି ହୋଲି ସାମଗ୍ରୀର ପସରା । ଅବିର, ପିଚକାରୀ,ବେଲୁନ, ବିଭିନ୍ନ ପ୍ରକାରର ମାସ୍କ ସାଙ୍ଗକୁ ରାଜଧାନୀର ବିଭିନ୍ନ ବଜାରକୁ କେତେ କଣ ନୂଆ ସାମଗ୍ରୀ ଆସିଛି । ଚଳିତ ଥର ପିଲାଙ୍କ ଚାହିଦାକୁ ନେଇ ଭିନ୍ନଭିନ୍ନ ପ୍ରକାରର ସାମଗ୍ରୀ ଦେଖିବାକୁ ମିଳିଛି ।
ଚଳିତ ଥର ବିନା କଟକଣାରେ ବେଶ୍ ଧୁମଧାମରେ ହୋଲି ପାଳନ କରିବେ ସାରା ରାଜ୍ୟବାସୀ । ଫଳରେ ଏଥର ରଙ୍ଗ ଓ ଅନ୍ୟ ସାମଗ୍ରୀ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ଭଳି ନୂଆନୂଆ ହୋଲି ସାମଗ୍ରୀ ବଜାରକୁ ଅଣାଯାଇଛି । ବିଶେଷ କରି ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏଥର ହୋଲିରେ ଆସିଛି କଲର ବେଲୁନ ପିଚକାରୀ । ବେଲୁନ ଭିତରେ ରଙ୍ଗ ଭର୍ତ୍ତି ପାଣି ପୁରାଇ ଅନ୍ୟ ଉପରକୁ ଫୋପାଡି ଦିଆଯିବ । ସେହିପରି ବଜାରରେ ବେବିଡଲ ପିଚକାରୀ ବେଶ ଆକର୍ଷଣ ସାଜିଛି । ବଡ଼ ପିଲାଙ୍କ ପାଇଁ ମ୍ୟୁଜିକାଲ ଗନ ପିଚକାରୀ, ଯାହାକୁ ଚିପିଲେ ମ୍ୟୁଜିକ ବାଜିବା ସହ ରଙ୍ଗପାଣି ମଧ୍ୟ ବାହାରିବ । ଏଥର ବଜାରରେ ଭେରାଇଟି ପ୍ରକାର ମାସ୍କ ଆସିଛି । କାର୍ଟୁନ ଓ ଆନିମାଲ ମାସ୍କ ସହ ସୁପରମ୍ୟାନ, ମନ୍ଷ୍ଟର ମାସ୍କ ବଜାରରେ ବିକ୍ରି ହେଉଛି । ଏଥର ହର୍ବାଲ ହୋଲି ସହ ଅବୀରର ବେଶ ଚାହିଦା ରହିଛି । ଗତ ବର୍ଷ ଅପେକ୍ଷା ଚଳିତ ଥର ଅବୀର କିଲୋ ପିଛା ୩୦ରୁ ୪୦ ଟଙ୍କା ବୃଦ୍ଧି ପାଇଛି ।