ଭୁବନେଶ୍ବର: ଦୁଇ ବର୍ଷ କୋଭିଡ କଟକଣା ପରେ ଚଳିତ ବର୍ଷ ବିନା କୌଣସି କଟକଣାରେ ନୂଆବର୍ଷକୁ ସ୍ବାଗତ କରିବେ ରାଜଧାନୀବାସୀ । ତେବେ ପ୍ରଶାସନର କିଛି ଗାଇଡ୍ଲାଇନ ଅନୁସାରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ କରିବେ ଲୋକେ । ବିଭିନ୍ନ ସ୍ଥାନରେ ମଦୁଆ ଓ ବିଶୃଙ୍ଖଳାକାରୀଙ୍କୁ ଧରିବାକୁ ଭୁବନେଶ୍ୱରରେ ୨୮ଟି ଜାଗାରେ ଚାଲିଛି ଚେକିଂ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।
ହୋଟେଲ ହେଉ ବା କମର୍ସିଆଲ ଇଭେଣ୍ଟ । ପବ୍ଲିକ ପ୍ଲେସ ହେଉ ବା ଟୁରିଷ୍ଟ ପ୍ଲେସ । ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷ ପାଳନରେ ଏଥର ନାହିଁ କଟକଣା । ଖାଲି ପୋଲିସର ଅନୁମତି, ନିର୍ଦ୍ଧାରିତ ଜାଗାରେ ନିର୍ଦ୍ଦିଷ୍ଟ ପରିମାଣର ଲୋକ ଏକତ୍ରୀତ, ପ୍ରାଇଭେଟ ସିକ୍ୟୁରିଟି ଆଦି କ୍ରମେ ସମସ୍ତେ ପାଳନ କରିପାରିବେ ଜିରୋ ନାଇଟ ବା ନୂଆବର୍ଷ । ଡିସିପିଙ୍କ ସୂଚନା ଅନୁସାରେ, ଯେଉଁମାନେ ହୋଟେଲ କିମ୍ବା ପବ୍ଲିକ ପ୍ଲେସରେ ଜିରୋ ନାଇଟ ସେଲିବ୍ରେସନ କରିବେ, ସେମାନେ ବ୍ୟବହାର ଠିକ ରଖିବେ । ରାତି ୭ଟା ଠାରୁ ସୁରକ୍ଷା ବ୍ୟବସ୍ଥା କଡାକଡି ଲାଗୁ କରିବ କମିଶନରେଟ୍ ପୋଲିସ । ଯେଉଁ ଯେଉଁ ଜାଗାରେ ହୋଟେଲ ରହିଛି ସେ ଜାଗାକୁ ଅତିରିକ୍ତ ଫୋର୍ସ ଦିଆଯିବ । ଭୁବନେଶ୍ବରରେ ୨୮ଟି ଜାଗାରେ ବ୍ଲକିଂ ଚେକିଂ କରାଯାଇଛି । ରାତି ୭ରୁ ସକାଳ ୬ ଯାଏଁ ଚେକିଂ ବଳବତ୍ତର ରହୁଛି । ୧୭ଟି ଜାଗାରେ ଡ୍ରଙ୍କେନ ଡ୍ରାଇଭ ଚେକିଂ ହେବ, ୪ଟି ଜାଗାରେ କୁଇକ୍ ଆକ୍ସନ ଟିମ ନିୟୋଜିତ ରହିବେ, ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ରହିବେ ।