ଭୁବନେଶ୍ବର:ବାରମ୍ବାର ଜଳାଶୟରେ ବୁଡ଼ି ମରିବା ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛି ପୋଲିସ। ରବିବାର ରାଜଧାନୀରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ୍ରେ ପୋଲିସ । ଏଥର ଜଳାଶୟ ଯିବା ପୁର୍ବରୁ ବାଟରେ ଲାଗିଛି ସତର୍କ ସୂଚନା ବୋର୍ଡ । ତେବେ କମିସନରେଟ୍ ପୋଲିସ ଭୁବନେଶ୍ୱର ଅର୍ନ୍ତଗତ ବିଭିନ୍ନ ଥାନା ଅଞ୍ଚଳରେ ଥିବା ଜଳାଶୟ ନିକଟରେ ଏଭଳି ସତର୍କ ସୂଚନା ଫଳକ ଲଗାଇଛି । ଏହାସହ ଗାଁରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ବିଗତ କିଛି ଦିନ ଧରି ରାଜଧାନୀ ଓ ଏହାର ଉପକଣ୍ଠରେ ପାଣିରେ ବୁଡ଼ି ମୃତ୍ୟୁ ହେବା ଘଟଣା ବଢ଼ିବା ପରେ ଏନେଇ ସତର୍କତା ଅବଲମ୍ବନ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ୱର ଡିସିପି ସମସ୍ତ ଥାନା ଅଞ୍ଚଳରେ ଜଳାଶୟ, ନଦୀ, ପୋଖରୀ, କେନାଲ ପାଖରେ ବିପଦ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଗାଁ ଗାଁରେ ଓ ଜଳାଶୟ ପାଖରେ ରହୁଥିବା ଲୋକଙ୍କୁ ସଚେତନତା କରିବା ପାଇଁ ଅଣ୍ଟା ଭିଡିଛି ପୋଲିସ । କାରଣ ରବିବାର ଏୟାରଫିଲ୍ଡ ଥାନା ଅଞ୍ଚଳରେ ପୋଖରୀପୁଟର ଏକ ପଥର ଖାଦାନ ଝରା ପୋଖରୀରେ ଦୁଇ ଛାତ୍ରଙ୍କ ବୁଡି ମୃତ୍ୟ ପରେ ଭୁବନେଶ୍ୱର ଲୋକଙ୍କ ମନରେ ଏକ ଭୟ ସଞ୍ଚାର ହୋଇଛି । ଏନେଇ ପାଣିରେ ବୁଡ଼ି ହେଉଥିବା ମୃତ୍ୟୁକୁ ନେଇ ଲୋକଙ୍କୁ ସତର୍କ କରିବା ପାଇଁ ଫଳକ ଲଗାଇବା ଅଭିଯାନ ଆରମ୍ଭ କରିଛି ପୋଲିସ ।
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବର 2 ତୃତୀୟାଂଶ ପାଣିରେ ବୁଡ଼ି ମୃତ୍ୟୁ Asia Pacificରେ ହୋଇଥାଏ: WHO