ଭୁବନେଶ୍ବର:ମନ ମୋହୁଛି ରାଜଧାନୀର ୪୫ ଫୁଟର ବାଉଁଶ ତିଆରି ଚନ୍ଦ୍ରଯାନ-3 ତୋରଣ । ଗଣେଶ ପୂଜାର ୬ ଦିନ ପରେ ବି ମନ ଏହି ମେଢ ସମସ୍ତଙ୍କର ଆକର୍ଷଣ ସାଜିଛି । ଯେଉଁଥିରେ ପୂଜା ପାଉଛନ୍ତି ଗଜାନନ । ଭୁବନେଶ୍ୱର ଆଦିବାସୀ ପଡିଆ ନିକଟ ତନ୍ତୀ ବସ୍ତିର ବାଉଁଶ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ନିଆରା କଳାକୃତି । ଏଠାରେ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ୟୁଥ ଆସୋସିଏସନ ଦୀର୍ଘ ୪୦ ବର୍ଷ ହେବ ଗଣେଶ ମହୋତ୍ସବର ଆୟୋଜନ କରି ଆସୁଥିବାବେଳେ ଏଥର ବି ନିଆରା ଢଙ୍ଗରେ ଗଣେଶଙ୍କୁ ପୂଜା କରି ଚର୍ଚ୍ଚାରେ ରହିଛି ।
ଯିଏ ଯାଉଛି ତାଙ୍କ ଗଣେଶଙ୍କ ପାଖରେ ଟିକିଏ ଅଟକି ଯାଉଛି । ସମଗ୍ର ଭାରତ ଚନ୍ଦ୍ରଯାନ -୩ ର ସଫଳ ରୂପାୟନକୁ ନେଇ ଇତିହାସ ରଚିଥିବାବେଳେ ଏହି ସଫଳତାକୁ ଏହାର ପ୍ରତିଫଳନ ସ୍ବରୂପ ପୂଜା ମଣ୍ଡପରେ ତୋରଣରେ ଶୋଭା ପାଉଛି ଚନ୍ଦ୍ରଯାନ । ଏହି ଉତ୍ସବ ଓ ଖୁସିକୁ ଦର୍ଶାଇବାକୁ ପ୍ରଚେଷ୍ଟା କରିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା । ତେଣୁ ଛୋଟ ହେଲେ ବି ଏହି ଚିତାକର୍ଷକ ପୂଜା ମଣ୍ଡପର ତୋରଣ ଦେଖିବାକୁ ରାଜଧାନୀବାସୀଙ୍କ ଭିଡ ଲାଗୁଛି । ସେଲ୍ଫି ନେବା ସହ ଦେଖିକି ଖୁସି ହେଉଛନ୍ତି ରାଜଧାନୀବାସୀ ।