ଭୁବନେଶ୍ୱର: ବିଏମ୍ସି ଅଞ୍ଚଳରେ ଥାଇ ବିକାଶଠୁ ଅପହଞ୍ଚ । ରାସ୍ତା, ଡ୍ରେନ୍ କି ଆଲୋକର ନାହିଁ ସୁବିଧା । ନିର୍ବାଚନ ଆସିଲେ ନେତାଏ ଦେଖାନ୍ତି ବିକାଶର ସ୍ବପ୍ନ । ହେଲେ ଭୁବନେଶ୍ବର ଭିତରେ ଥାଇ ମଧ୍ୟ ଅପହଞ୍ଚ ଇଲାକା ଭଳି ସରକାରୀ ସୁବିଧାରୁ ବଞ୍ଚିତ ୩୦୦ରୁ ଅଧିକ ପରିବାର । ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର କେନାଲ ରୋଡରେ ଗଢି ଉଠିଥିବା ଓସ୍କାରସିଟି କଲୋନୀର ଦୟନୀୟ ଚିତ୍ର । ଯେଉଁଠି କଲୋନୀରେ ୯ରୁ ଊର୍ଦ୍ଧ୍ୱ ଲେନ୍ ରହିଛି । ହେଲେ କଲୋନୀକୁ ପଶିବାକୁ ନାହିଁ ପକ୍କା ରାସ୍ତାର ସୁବିଧା । ଫଳରେ ଦୀର୍ଘ ବର୍ଷ ଧରି ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ନିର୍ମାଣ କରୁଛନ୍ତି ରାସ୍ତା । ଯେତେ ଥର ମରାମତି କରୁଥିଲେ ମଧ୍ୟ ବର୍ଷାଦିନେ ବର୍ଷା ଯୋଗୁଁ ଧୋଇଯାଇ ନାନାଦି ସମସ୍ୟାର ସାମ୍ନା କରନ୍ତି କଲୋନୀର ଏହି ୩୦୦ରୁ ଅଧିକ ପରିବାର ।
ଏନେଇ ସରକାରୀ ଅର୍ଥରେ ବିକାଶ ପାଇଁ ଅନେକ ଥର ବିଏମ୍ସି ଦୌଡ଼ିବା ପରେ ନିରଶ ହୋଇଥିଲେ । ଶେଷରେ ଏଥର ଖବର ପାଇ ପହଞ୍ଚିଥିଲେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଏକ ଜନଶୁଣାଣି କରି ଲୋକଙ୍କ ସମସ୍ୟା ବୁଝିବା ବେଳେ ଲୋକେ ଝାଡିଥିଲେ କ୍ଷୋଭ । ଏନେଇ ଜନଶୁଣାଣୀ ବେଳେ ପ୍ରତିଶୃତି ଦେଇ ବିଧାୟକ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣି କହିଛନ୍ତି, "ଆଗକୁ ଆସୁଥିବା ପୂଜା ପୂର୍ବରୁ ଅସ୍ଥାୟୀ ରାସ୍ତା ମରାମତି କାମ ସହ ୧୫ ଦିନ ଭିତରେ କର୍ପୋରେଟର ଜରିଆରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ । ଖୁବଶୀଘ୍ର ମୁଖ୍ୟ ରାସ୍ତାର ଟେଣ୍ଡର କରି ରାସ୍ତା କାମ ଆରମ୍ଭ ହେବ । ଏନେଇ ଲେନ୍ ବାଇ ଲେନ୍ ସହ ଓସ୍କାରସିଟିର ପ୍ରବେଶ ଓ ପ୍ରସ୍ଥାନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ । ଏଥିସହ ବିଧାୟକ ଲ୍ୟାଡ୍ରୁ ଜାଗା ଥିଲେ ମନ୍ଦିର କାମ ସହ କମ୍ୟୁନିଟି ହଲ ଓ ପାର୍କ ନିର୍ମାଣ କାର୍ଯ୍ୟ କରାଯିବ । ଡ୍ରେନ୍ କାମ ପାଇଁ ଇଞ୍ଜିନିୟର ଡକାଇ ତାଙ୍କର ଉପସ୍ଥିତିରେ ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନ୍ କରି ସିଧା ଗଙ୍ଗୁଆରେ କନେକ୍ସନ କରାଯିବ ।" ଫଳରେ ପାଣି ଜମିବା ବା ଡ୍ରେନ୍ ସମସ୍ୟା ଦୂର ହେବ ବୋଲି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରତିଶୃତି ଦେଇଛନ୍ତି ।