ଭୁବନେଶ୍ବର: ପ୍ରଶାସନ ବିରୋଧରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ହୋଇଛି । ଡେରାସ ଅଞ୍ଚଳରେ କେନାଲ ପୋତା ଯାଇଥିବା ନେଇ ମାନିଲେ ସରକାର । କେନାଲ ପୁନରୁଦ୍ଧାର ପାଇଁ ଭୁବନେଶ୍ବର ତହସିଲଦାର ଓ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେବା ପରେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଗତ ୨ ବର୍ଷ ଧରି ଡେରାସ ଅଞ୍ଚଳରେ କେନାଲ ଜବରଦଖଲ ହୋଇଥିବା ନେଇ ଚିଠିରେ ଲେଖାଯାଇଛି । କେନାଲର ମୁଖ୍ୟ ବାମ କେନାଲକୁ ଗତ ୨ ବର୍ଷ ଧରି ଅବରୋଧ କରି ରଖାଯାଇଥିଲା । କିଛି ଜବରଦଖଲକାରୀ ଏହାକୁ ଅବରୋଧ କରି ରଖିଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି । ତେଣୁ ଏହି ଅବରୋଧକୁ ହଟାଇ ଶେଷ ପର୍ଯ୍ୟନ୍ତ ଯେମିତି ପାଣି ପହଞ୍ଚିପାରିବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ଵର ଉପକଣ୍ଠସ୍ଥ ଡେରାସ ଅଞ୍ଚଳରେ ଜମି ଜବରଦଖଲ ଓ ୩୦୦ ଏକର ଜମି ପଡିଆ ପଡିଥିବା ଅଞ୍ଚଳ ପରିଦର୍ଶନ କରିଥିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ । ନିଜେ ହାତରେ କୋଦାଳ ଧରି କେନାଲର ଚାନେଲ ଖୋଳିଥିଲେ । ସେଠାରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୋତାଯାଇ ଫାର୍ମ ହାଉସ ହୋଇ ହୋଇଛି । ଫଳରେ କେନାଲ ବନ୍ଦ ହୋଇଯିବା ଯୋଗୁଁ ପ୍ରାୟ ୨ ବର୍ଷ ହେବ ୩୦୦ ଏକର ଜମି ପଡିଆ ପଡିଛି । ଜଣେ ପ୍ରଭାବଶାଳୀ ମହିଳା କିରୂଥିକା ପ୍ରଭାକରନ ଏବଂ ରାଜ୍ୟ ସରକାରଙ୍କୁ ଆୟତ୍ତରେ ରଖିଥିବା କର୍ମଚାରୀଙ୍କ ମିଲିଭଗତରେ ପ୍ରକଳ୍ପକୁ ପୋତାଯାଇ ଥିବା ସହିତ ବେଆଇନ ଭାବେ ଜମିକୁ କବଜା କରାଯାଇଛି ବୋଲି ସାଂସଦ ଅଭିଯୋଗ ଆଣିଥିଲେ ।
ଏଥିପାଇଁ ତିନିଦିନ ମଧ୍ୟରେ ଏହାର ସମାଧାନ ରାଜ୍ୟ ସରକାର କରିବା ପାଇଁ ମହଲତ ଦେଇଥିଲେ । ଆଜି ସାଂସଦଙ୍କ ଅଭିଯୋଗକୁ ସ୍ୱୀକାର କରି ସରକାରୀ ଅଧିକାରୀ ଜବରଦଖଲ ହଟାଇ ଯଥା ଶୀଘ୍ର ଡେରାସ କ୍ଷୁଦ୍ର ଜଳସେଚନ କେନାଲର ପୁନରୁଦ୍ଧାର କରିବା ପାଇଁ ତହସିଲଦାର ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କେନାଲ ପୋତାଯାଇଥିବା ମାନିଛନ୍ତି ସରକାର ।