ଭୁବନେଶ୍ବର: IRCTC ଭାରତ ଗୌରବ ଏସି ଟୁରିଷ୍ଟ ଟ୍ରେନ 8 ଦିନିଆ ଯାତ୍ରା ଆରମ୍ଭ କରୁଛି । ଏହା ଜାନୁଆରୀ ୨୫ ତାରିଖରୁ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ । ୧୦ଟି ତୃତୀୟ ଶ୍ରେଣୀ ଏସି କ୍ଲାସ କୋଚ୍ ସହିତ ଏହି ଟ୍ରେନରେ ପ୍ରାୟ ୬୦୦ ପର୍ଯ୍ୟଟକ ଯାତ୍ରା କରି ପାରିବେ । ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ ମୁଖ୍ୟ ଆକର୍ଷଣ ସମେତ କୋଣାର୍କ, ଭୁବନେଶ୍ୱର, କାଶୀ, ବୈଦ୍ୟନାଥ ଏବଂ ଗୟା ଆଦି ପ୍ରମୁଖ ସ୍ଥାନ ଯାତ୍ରାରେ ସାମିଲ ହେବ ।
ତେବେ ଯାତ୍ରା ସମୟରେ ଗାଜିଆବାଦ, ଅଲିଗଡ଼, ଟୁଣ୍ଡୱା, ଇଟାୱା, କାନପୁର ଓ ଲକ୍ଷ୍ନୌ ଷ୍ଟେସନରେ ଟ୍ରେନ ଧରି ପାରିବେ କିମ୍ବା ଓହ୍ଲାଇ ମଧ୍ୟ ପାରିବେ ଯାତ୍ରୀ । ଟୁରିଷ୍ଟ ଟ୍ରେନରେ ସମସ୍ତ ସୁବିଧା ଉପଲବ୍ଧ ଥିବା ସହ ପ୍ୟାଣ୍ଟ୍ରି କାର ମଧ୍ୟ ରହିଛି । ଯାହାକି ପର୍ଯ୍ୟଟକମାନଙ୍କୁ ସଦ୍ୟ ଶାକାହାରୀ ଖାଦ୍ୟ ଯୋଗାଇଥାଏ । ଯାତ୍ରା ସମୟରେ ମନୋରଞ୍ଜନର ବ୍ୟବସ୍ଥା, ସିସିଟିଭି କ୍ୟାମେରା, ସିକ୍ୟୁରିଟି ଗାର୍ଡ ସେବା ମଧ୍ୟ ଉପଲବ୍ଧ ରହିଛି । ଏହି ପ୍ରସ୍ତାବିତ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଯାତ୍ରାର ପ୍ରଥମ ରହଣୀ ପ୍ରାଚୀନ ପବିତ୍ର ବାରାଣାସୀ ସହର ରହିଛି । ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଏବଂ ଆରତୀସ୍ଥଳ ଆଦି ପରିଦର୍ଶନ କରିପାରିବେ ।
ବାରାଣାସୀ ପରେ ଟ୍ରେନ ଝାରଖଣ୍ଡର ଯଶିଡିହି ରେଳଷ୍ଟେସନକୁ ଯାତ୍ରା ଆରମ୍ଭ କରିବ ଏବଂ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ଜ୍ୟୋର୍ତିଲିଙ୍ଗ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ । ଏହା ପରେପରେ ଟ୍ରେନ ଯଶିଡିହି ରେଳଷ୍ଟେସନରୁ ଓଡ଼ିଶାର ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ପୁରୀଠାରେ ପର୍ଯ୍ୟଟକଙ୍କ ହୋଟେଲରେ ୨ ରାତି ପାଇଁ ରହିବାର ବ୍ୟବସ୍ଥା କରାଯାଇଛି । ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଦର୍ଶନ କରିବାର ସୁଯୋଗ ପାଇପାରିବେ । ପୁରୀ ପରେ ଗୟା ହେବ ଟ୍ରେନର ଶେଷ ଗନ୍ତବ୍ୟସ୍ଥଳ ଯେଉଁଠି ବିଷ୍ଣୁପାଦ ମନ୍ଦିରରେ ଯାତ୍ରାର ସମାପନ ଘଟିବ । ୮ ଦିନିଆ ଯାତ୍ରା ଶେଷ କରି ଟ୍ରେନ ଫେବୃଆରୀ ୧ ତାରିଖରେ ଦିଲ୍ଲୀରେ ପହଞ୍ଚିବ ।