ଓଡିଶା

odisha

ଶିମିଳିପାଳ ବଞ୍ଚାଇବାକୁ ଭଞ୍ଜସେନାର ଆନ୍ଦୋଳନ, ଦାବି ନ ଶୁଣିଲେ ଯନ୍ତରମନ୍ତରରେ ଧାରଣା ଚେତାବନୀ

By

Published : Aug 3, 2023, 1:31 PM IST

ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ନେଇ ଲୋୟର ପିଏମଜିରେ ଭଞ୍ଜସେନାର ଆନ୍ଦୋଳନ । ଦାବି ନ ଶୁଣିଲେ ଯନ୍ତରମନ୍ତରରେ ଧାରଣାର ଚେତାବନୀ । ଅଧିକ ପଢନ୍ତୁ

bhanja sena protest
bhanja sena protest

bhanja sena protest

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ନେଇ ଲୋୟର ପିଏମଜିରେ ଗର୍ଜିଲା ଭଞ୍ଜସେନା । ଶିମିଳିପାଳ ଦିନକୁ ଦିନ ଅସୁରକ୍ଷିତ ହୋଇଯାଉଛି । ଏଥିପ୍ରତି ବନ ବିଭାଗ କିମ୍ବା ରାଜ୍ୟ ସରକାର ଦୃଷ୍ଟି ଦେଉ ନାହାନ୍ତି । ଯାହାକୁ ନେଇ ଗତକାଲି ଭଞ୍ଜସେନା ପକ୍ଷରୁ ହଜାର ହଜାର ଲୋକ ଲୋୟର ପିଏମଜିରେ ଧାରଣା ଦେଇଥିଲେ । ଶିମିଳିପାଳର ସୁରକ୍ଷା ଆମର ଦାବି ସ୍ଲୋଗାନରେ କମ୍ପିଥିଲା ଧାରଣାସ୍ଥଳ । ସେହିପରି ଦାବି ଉପରେ ରାଜ୍ୟ ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଧାରଣା ପୂର୍ବକ ଆନ୍ଦୋଳନ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଭଞ୍ଜସେନାର ଦାବି ଗୁଡିକ ହେଉଛି ମହାବଳ ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଭାଗ ଓ ରାଜ୍ୟର ବିଶିଷ୍ଟ ପରିବେଶବିତମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଉ । ଯୁଦ୍ଧକାଳୀନ ଭିତ୍ତିରେ ଶିମିଳିପାଳ ଅଭୟାରଣ୍ୟରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି କରିବାରେ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ । ସେହିପରି ବାଘଙ୍କ ଗତିବିଧିକୁ ଟ୍ରାକିଂ କରିବା ନିମନ୍ତେ ମନିଟରିଙ୍ଗ ସିଷ୍ଟମ ଫର ଟାଇଗର ଏବଂ ଭିଏଚଏଫ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ବାଘଙ୍କ ଗତିବିଧିର ନିରୀକ୍ଷଣ କରାଯାଉ ।

ଏଥିସହ ଅବାଧ ଶିକାରକୁ ରୋକିବା ନିମନ୍ତେ ସରକାରୀ ସ୍ତରରେ ଶିମିଳିପାଳ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରି କଡାକଡି ନିୟମ ଓ ଦଣ୍ଡବିଧାନ ପ୍ରଣୟନ କରାଯାଉ । ବନବିଭାଗ ସହିତ ସ୍ୱତନ୍ତ୍ର ଆରକ୍ଷୀ, ପ୍ରତିରକ୍ଷା ବାହିନୀକୁ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ପ୍ରଦାନ କରାଯାଉ । ଜୈବ ବିବର୍ତ୍ତନ ପାଇଁ ସମଗ୍ର ବିଶ୍ୱରେ ବିରଳ ପ୍ରଜାତିର କଳା ମହାବଳ ବାଘ ଦେଖାଯାଉଥିବା ଶିମିଳିପାଳରେ ବାଘ ପ୍ରଜନନ, ସଂଖ୍ୟାବୃଦ୍ଧି, ବାସସ୍ଥାନ, ଖାଦ୍ୟଶୃଙ୍ଖଳ, ଗତିବିଧି, ପରିବେଶ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଉ ବୋଲି ଦାବି କରିଛି ସଂଘ ।

ଅନ୍ୟପଟେ ଶିମିଳିପାଳରେ ଅବସ୍ଥିତ ଗାଁ ଗୁଡିକ ବିସ୍ଥାପିତ କରାଯାଇ ଶିମିଳିପାଳକୁ ସମ୍ପୂର୍ଣ୍ଣ ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ପ୍ରଦାନ କରାଯାଉ । ଏହାସହ ବିସ୍ଥାପିତଙ୍କୁ ସରକାରୀ ଜମି,ଶିକ୍ଷା, ବିଜୁଳି, ସ୍ୱାସ୍ଥ୍ୟ, ରୋଜଗାର, ବାସଗୃହ ଯୋଗାଇବା ସହିତ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉ । କେବଳ ଆଦିବାସୀଙ୍କ ଧାର୍ମିକ ଉପାସନା ଓ ବାର୍ଷିକ ପୂଜାର୍ଚ୍ଚନା ପାଇଁ ଶିମିଳିପାଳକୁ ପ୍ରବେଶର ଅନୁମତି ପ୍ରଦାନ କରାଯିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଶିମିଳିପାଳ ସୀମାନ୍ତ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଲୋକମାନଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଉ । ଫଳରେ ପର୍ଯ୍ୟଟନ ମାଧ୍ୟମରେ ଲୋକେ ରୋଜଗାରକ୍ଷମ ହୋଇ ପାରିବେ । ସେଥି ନିମନ୍ତେ ସରକାରଙ୍କ ପକ୍ଷରୁ ଇକୋ ଟୁରିଜିମ ପ୍ରତି ଗୁରୁତ୍ୱ ପ୍ରଦାନ କରନ୍ତୁ।

ଏହା ମଧ୍ୟ ପଢନ୍ତୁ- ଫଟୋରେ ରହିଯିବ ଶିମିଳିପାଳ ଅଭୟାରଣ୍ୟ, ଧୂପ ଦେଲା ଭଳି ଆସୁଛି ଅନୁଦାନ: ଭଞ୍ଜ ସେନା

ସେହିପରି ଶିମିଳିପାଳର ସୁରକ୍ଷା ନିମନ୍ତେ ଖାଲି ପଡିଥିବା ୪୦ପ୍ରତିଶତ କର୍ମଚାରୀଙ୍କ ପଦବୀ ପୂରଣ କରିବା ସହ ଅଭୟାରଣ୍ୟ ମଧ୍ୟରେ ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ତୁରନ୍ତ ବାତିଲ କରାଯିବାକୁ ଦାବି ହୋଇଛି । ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ସହିତ କାର୍ଯ୍ୟକାରୀ କରାଯାଉ । ନବ ରୂପାନ୍ତର ପ୍ରକ୍ରିୟାରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ୱରୀଙ୍କ ମନ୍ଦିର, ମାଆ ଅମ୍ବିକା ମନ୍ଦିର, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିର ଓ ମାଣତ୍ରୀ ସ୍ଥିତ ବାବ କଖାରୁଆ ବୈଦ୍ୟନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ନେଇ ଧାରଣରତ ଲୋକମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details