ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ଓ ଜଟଣୀ ଅଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ବେଗୁନିଆ ନିକଟ କୁଶପଲ୍ଲା ଗ୍ରାମରେ ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ବିଧାୟକ ରାଜେନ୍ଦ୍ର କୁମାର ସାହୁ । ଏହି ପ୍ରକଳ୍ପ ୬ ଏକର ଜାଗାରେ ନିର୍ମାଣ କରାଯିବାକୁ ଥିବାବେଳେ ଏଥିପାଇଁ ୩୪୮ କୋଟି ଟଙ୍କା ବ୍ୟୟ କରାଯିବ । ପ୍ରକଳ୍ପ କାର୍ଯ୍ୟ ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରହିଛି ।
ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରକଳ୍ପ ଦ୍ବାରା ପ୍ରାୟ ଅଢେଇ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ଉପକୃତ ହେବେ । ସାଧାରଣତଃ ବେଗୁନିଆ, ଖୋର୍ଦ୍ଧା ଏବଂ ଜଟଣୀ ବ୍ଲକର ୪୨ଟି ପଞ୍ଚାୟତର ୨୪୨ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ । ଏହି ପ୍ରକଳ୍ପରେ ତିନୋଟି ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ସହ ୪୩ଟି ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯିବାର ଯୋଜନା ରହିଛି ।