ଖୋର୍ଦ୍ଧା: ଗାଁକୁ ଯାଅ ଓ ଲୋକଙ୍କ ସମସ୍ୟା ବୁଝ । ଦଳୀୟ ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଏହି ନିର୍ଦ୍ଦେଶକୁ ବାଁ ବାଁ ଉଡାଇ ଦେଇଛନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ । ବିଧାୟକଙ୍କ କାର୍ଯ୍ୟକଳାପକୁ ଦେଖିଲେ ସେ ଲୋକଙ୍କୁ ପାଖକୁ ନୁହେଁ, ବରଂ ଲୋକଙ୍କୁ ନିଜ ପାଖକୁ ଆସିବାକୁ ଓ ତାଙ୍କ ନିର୍ଦ୍ଦେଶରେ କାମ କରିବାକୁ କହୁଥିବାର ମନେ ହେଉଛି । କାରଣ ବନ୍ୟା ଯୋଗୁଁ ବେଗୁନିଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ହେଁ ଏଠାରେ ବିଧାୟକଙ୍କ ଦେଖାମିଳୁନି ।
ବେଗୁନିଆ ମାଡୁ ନାହାନ୍ତି ବିଧାୟକ, ବିକାଶର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି ଖୋର୍ଦ୍ଧାରେ ଶନିବାର ବେଗୁନିଆ ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖୋର୍ଦ୍ଧାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଖୋର୍ଦ୍ଧା PWD ଡାକ ବଙ୍ଗଳାରେ ବିଧାୟକଙ୍କ ସମେତ ଉଭୟ ବ୍ଲକର ବିଡ଼ିଓ, ଯନ୍ତ୍ରୀ, ଠିକାଦାରଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା । ତେବେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବୈଠକ ପାଇଁ ସୁବିଧା ଥିବାବେଳେ କାହିଁକି ଓ କାହା ସ୍ୱାର୍ଥରେ ରାଜସ୍ୱ ଅର୍ଥ ବ୍ୟୟ କରି ଖୋର୍ଦ୍ଧାରେ ବୈଠକ ହେଉଥିଲା ତାହା ଏବେ ଚର୍ଚ୍ଚା ହେଉଛି ।
ବେଗୁନିଆ ମାଡୁ ନାହାନ୍ତି ବିଧାୟକ, ବିକାଶର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି ଖୋର୍ଦ୍ଧାରେ ବନ୍ୟାଜଳ ମାଡି ବେଗୁନିଆ ବ୍ଲକର ୬ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ଯାହାଦ୍ବାରା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଧାର କରଜ କରି ଧାନ ଫସଲ କରିଥିବା ଚାଷୀ ଏବେ ଭାଗ୍ୟକୁ ନିନ୍ଦା କରିବା ବ୍ୟତୀତ ଆଉ କିଛି ଉପାୟ ପାଉନି । ପ୍ରଶାସନ ପକ୍ଷରୁ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ଚାଲିଛି । ହେଲେ ଏଭଳି ବିପଦ ସମୟରେ ବିଧାୟକଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି । ବିଧାୟକ ରାଜେନ୍ଦ୍ର ସାହୁ ଆଗାମୀ ନିର୍ବାଚନ ପାଇଁ ଖୋର୍ଦ୍ଧାକୁ ଅଧିକ ଫୋକସ୍ କରୁଥିବା ବେଳେ ବେଗୁନିଆକୁ ହେୟ ଜ୍ଞାନ କରୁଛନ୍ତି । ସାଧାରଣ ଲୋକ ସମସ୍ୟାରେ ଘାଣ୍ଟି ହେଉଥିଲେ ହେଁ ବିଧାୟକଙ୍କ ଏଥିପ୍ରତି ନିଘା ନାହିଁ ।
୨୦୧୯ ସାଧାରଣ ନିର୍ବାଚନରେ ୧୩ ଦିନରେ ୨୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବେଗୁନିଆବାସୀ ତାଙ୍କୁ ନିର୍ବାଚିତ କରିଥିଲେ । ହେଲେ ଏହାର ମୂଲ୍ୟକୁ ବିଧାୟକ ଭୁଲି ଯାଇଥିବା ଚର୍ଚ୍ଚା ହେଉଛି । ବେଗୁନିଆ ଟାଉନ ହଲ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିଛି । ସେହିପରି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, କୋର୍ଟ କାର୍ଯ୍ୟକାରୀ ହେଉ ନଥିବା ବେଳେ ଜିମ ସେଣ୍ଟର, ପାର୍କ, ଶୌଚାଳୟ, ଯାତ୍ରୀ ବିଶ୍ରାମଗାର ବନ୍ଦ ହୋଇପଡିରହିଛି । ଏହିସବୁ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ନାହିଁ । ଏଠି ବିକାଶ କଥା କିଏ ପଚାରେ, କେବଳ ଦଳୀୟ କର୍ମୀଙ୍କ ବିବାହ,ବ୍ରତ, ଦଶାହ କାର୍ଯ୍ୟରେ ଯୋଗଦେଇ ସୋସିଆଲ ମିଡିଆରେ ଫଟୋ ଛାଡି ବିଧାୟକ ବାଃ ବାଃ ନେଉଥିବାର କୁହାଯାଇଛି । ଏହାଦ୍ବାରା କାର୍ଯ୍ୟ ସେ ସରକାରୀ ଅର୍ଥ ସହ ସମୟ ଅପଚୟ କରୁଥିବା ଲୋକେ କହିଛନ୍ତି । ବେଗୁନିଆବାସୀ ଯେଉଁ ଆଶା ନେଇ ବିଧାୟକଙ୍କୁ ୧୩ ଦିନରେ ବିଜୟ ମକୁଟ ପିନ୍ଧାଇଥିଲେ ତାହା ଏବେ ପାଣିରେ ପଡିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଇଟିଭି ଭାରତ, ଖୋର୍ଦ୍ଧା