ଭୁବନେଶ୍ବର:ଶେଷ ହେଲା ଭୁବନେଶ୍ବର ବାଲିଯାତ୍ରା । କୁଆଖାଇ ନଦୀ ପଠାରେ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ୫ ତାରିଖ ଅର୍ଥାତ ଗତକାଲି ଶେଷ ହୋଇଛି । ରଙ୍ଗୀନ ଆଲୋକ ସହ ମୀନା ବଜାର ଓ ସେଲିବ୍ରିଟିଙ୍କ ପ୍ରଦର୍ଶନ ବାଲିଯାତ୍ରାର ଉତ୍ସାହକୁ ଦ୍ବିଗୁଣିତ କରିଥିଲା । ତେବେ ବାଲିଯାତ୍ରାର ଶେଷ ଦିନରେ ପାଲା ଭଜନ ଓ ପିଲାମାନଙ୍କ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଗୀତ ଉପସ୍ଥିତ ରାଜଧାନୀବାସୀଙ୍କୁ ମତୁଆଲା କରିଥିଲା । ଏହାକୁ ନେଇ ବାଲିଯାତ୍ରା ଶେଷ ଦିନ ବେଶ ରୋମାଞ୍ଚକର ଥିଲା ।
ଅନନ୍ୟାଙ୍କ ଗୀତର ତାଳେ ତାଳେ ନାଚିଥିଲା ଦର୍ଶକ । ଶୀତୁଆ ସନ୍ଧ୍ୟାର ଏହି ଶେଷ ବାଲିଯାତ୍ରାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଅନ୍ୟପଟେ ୯ ଦିନ ଧରି କୁଆଖାଇ ପଠାରେ ଜମୁଥିବା ଏହି ଭୁବନେଶ୍ଵର ବାଲିଯାତ୍ରା ରଙ୍ଗୀନ ଆଲୋକ ସହ ଉଚ୍ଚ ଦୋଳି ଓ ସେଲିବ୍ରିଟିମାନଙ୍କ ଝଲକ ବାଲିଯାତ୍ରାକୁ ଦୁଇଗୁଣତ ଆକର୍ଷିତ କରିଥିଲା । ଉତ୍ତର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି ଭୁବନେଶ୍ଵର ବାଲିଯାତ୍ରା ଚଳିତ ବର୍ଷ ୭ମ ସଂସ୍କରଣ ହୋଇଥିଲା । ଏଠାରେ ଏଥର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଷ୍ଟଲ ଲାଗିଥିବା ବେଳେ ଶେଷ ସନ୍ଧ୍ୟା ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରାୟ ୧୨୦୦ ବିଭିନ୍ନ ପ୍ରକାର ଷ୍ଟଲ୍ ସହ ଭଳିକି ଭଳି ଦୋଳି, ଖାଇବା ଷ୍ଟଲ, ଘରକରଣା ସାମଗ୍ରୀ, ସାଧନ ସାମଗ୍ରୀ, ଖେଳନା, ଟାଟୁ ଓ ମେହେନ୍ଦି ସେଣ୍ଟରର ସମ୍ଭାର ଖୋଲିଥିଲା ।