ବାଲେଶ୍ଵର: ବାଲେଶ୍ଵରରେ ବ୍ରାଉନସୁଗାର ବେପାର ଉପରେ ରୋକ ଲାଗିବ । ଏଣିକି ବ୍ରାଉନସୁଗାର ବିକ୍ରି କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଉ ଏଥିପାଇଁ ଆକ୍ସନ ମୋଡ଼ରେ ଅଛନ୍ତି ବାଲେଶ୍ବରରେ ନୂଆକରି ଯୋଗଦେଇଥିବା ଏସପି ସାଗରିକା ନାଥ । ଏସ୍ପି ଏହି ଜିଲ୍ଲାରେ ପ୍ରଥମ ଦିନରୁ ହିଁ ଆରମ୍ଭ କରି ଦେଇଛନ୍ତି ଧଳା ଜହର ସଫେଇ ଅଭିଯାନ । ଏଥିପାଇଁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । କିଭଳି ବ୍ରାଉନସୁଗାର କାରବାର ବାଲେଶ୍ୱରରେ ରୋକି ହେବ ସେନେଇ ଚଲାଇଛନ୍ତି ଯୋଜନା । ଏନେଇ ଏସପିଙ୍କ ତତ୍ତ୍ବାବଧାନରେ ୨ଜଣ ଏସଡିପିଓ ଓ ଜଣେ ସିଟି ଡିଏସପିଙ୍କୁ ନେଇ ଆଣ୍ଟି ନାରକୋଟିକ୍ସ ସ୍କ୍ବାଡ୍ ଗଠନ କରାଯାଇଛି । ଏହି ସ୍କ୍ବାଡ୍ ବାଲେଶ୍ଵର ଜିଲ୍ଲାରେ ଚାଲୁଥିବା ବ୍ରାଉନସୁଗାର କାରବାର ଉପରେ ନଜର ରଖିବା ସହ ଲଗାତର ଭାବେ ଚଢ଼ାଉ ଜାରି ରଖିଛି ।
ସ୍କ୍ବାଡ୍ ଗଠନ ହେବାପରେ ପ୍ରଥମେ ଗତ 24 ତାରିଖରେ ବାଲେଶ୍ଵର ସହରର ଅରଡ଼ ବଜାର ଅଞ୍ଚଳରେ ଚଢ଼ାଉ କରି ସୋହେଲା ବିବି ନାମକ ଜଣେ ମହିଳା ବେପାରୀଙ୍କୁ ଗିରଫ କରିଥିଲେ । ଏହାସହ ତାଙ୍କ ନିକଟରୁ 17.2 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଯାହାର ମୂଲ୍ୟ 1 ଲକ୍ଷ 72 ହଜାର ଟଙ୍କା ବୋଲି ଜଣାପଡ଼ିଛି । ଏହାସହ ଉକ୍ତ ମହିଳାଙ୍କଠାରୁ 8 ହଜାର 100 ଟଙ୍କା ଜବତ କରାଯାଇଥିଲା । ସେହିପରି ଗତ 31 ତାରିଖରେ ଜଳେଶ୍ବର ପଥରପୁରା ଅଞ୍ଚଳରେ ବ୍ରାଉନସୁଗାର ବେପାର ହେଉଥିବା ଖବରପାଇ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ସମୟରେ 269 ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ମୋବାଇଲ ଫୋନ୍, ଏସବିଆଇ ବ୍ୟାଙ୍କର ପାଶବୁକ, ଚେକ୍ ବହି, ୫ଟି ପାନ କାର୍ଡ, 2700 ଟଙ୍କା ଜବତ କରିଥିଲା । ଏଥିରେ ଜଣେ ବେପାରୀକୁ ମଧ୍ୟ ଗିରଫ କରାଯାଇଥିଲା । ପରେ ପୁଣି ୧ ତାରିଖରେ ବାଲେଶ୍ଵର ସହଦେବଖୁଣ୍ଟା ଥାନା ପୋଲିସ ବ୍ରାଉନସୁଗର କାରବାର ସମ୍ପର୍କରେ ଖବରପାଇ ଅର୍ଡର ବଜାର ମସଜିଦ ଗଳିରେ ଚଢ଼ାଉ କରିଥିଲେ । ସେଠାରେ ଦୁଇ ଜଣ ମହିଳାଙ୍କୁ ଗିରଫ କରି ତାଙ୍କ ନିକଟରୁ ୮୪ ଗ୍ରାମ ଓଜନର ବ୍ରାଉନସୁଗର ଓ ୫୧୦ ଟଙ୍କା ଜବତ କରାଯାଇଥିଲା ।