ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଅଧାବାଟରେ ଅଟକିଲା ରୁକୁଣା ରଥ । ରଥାରୂଢ଼ ପ୍ରଭୁ ଲିଙ୍ଗରାଜ ଗୋସାଗରେଶ୍ବର ଛକଠାରୁ ଅନତି ଦୂରରେ ତଥା ତିନିମୁଣ୍ଡିଆ ଛକଠାରୁ ପଛରେ ଅଟକି ରହିଛନ୍ତି । ଫଳରେ ବାହୁଡା ଯାତ୍ରାରେ ମନ୍ଦିରକୁ ଫେରି ପାରିନାହାନ୍ତି ମହାପ୍ରଭୁ ଲିଙ୍ଗରାଜ, ଭଉଣୀ ମା’ ରୁକ୍ମିଣୀ ଓ ପ୍ରଭୁ ଦୋଳଗୋବିନ୍ଦ । ଆଜି ଅପରାହ୍ନ ୩ଟାରୁ ରଥ ଟଣା ପୁଣି ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା । ରଥଟଣା ସମୟରେ ବାଧକ ସାଜିଛନ୍ତି ଉଠାଦୋକାନୀ ଓ ଗଛ ଡାଳ ।
ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜ ରୁକୁଣା ରଥରେ ରାମେଶ୍ୱର ମନ୍ଦିର ଯାତ୍ରା କରିଥିଲେ । ରବିବାର ଥିଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମହୋତ୍ସବ । ତେଣୁ ବିଧି ଓ ପରମ୍ପରା ଅନୁସାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ ଲାଗି ସ୍ୱତନ୍ତ୍ର ନୀତି କରାଯାଇଥିଲା । ଭୋର ୬ଟାରେ ମଙ୍ଗଳ ଆଳତୀ, ଭୋର୍ ସାଢ଼େ ୬ଟାରୁ ପୂର୍ବାହ୍ନ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହୋଇଥିଲା । ପରେ ରୁକୁଣା ରଥରେ ଚାରି ଘୋଡ଼ା ଲାଗିବା ସହ ଚାରମାଳ ବନ୍ଧା ଯାଇଥିଲା । ଅପରାହ୍ନ ୧ଟା ପରେ ଅଧର ପଣା ନୀତି ଅନୁଷ୍ଠିତ ହୋଇଥିଲା । ଖରା ଯୋଗୁଁ ଅପରାହ୍ନ ୩ଟା ପରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଥିଲା ।
୩ଟା ୪୫ ସୁଦ୍ଧା ପ୍ରଭୁ ଲିଙ୍ଗରାଜ ରଥାରୂଢ଼ ହୋଇଥିଲେ । ଏହାପରେ ରଥରେ ଠାକୁରଙ୍କୁ ପୂଜା କରାଯାଇଥିଲା। ଚାରମାଳ ଖୋଲାଯାଇ ଅପରାହ୍ନ ୪ଟା ୧୫ମିନିଟ୍ରେ ରଥ ଟଣା ଆରମ୍ଭ ହୋଇଥିଲା । ହର ହର ମହାଦେବ, ଜୟ ଶ୍ରୀ ଲିଙ୍ଗରାଜ, ଓଁ ନମଃ ଶିବାୟ, ହରିବୋଲ, ହୁଳହୁଳି ଶବ୍ଦରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ଘଣ୍ଟ ଧ୍ୱନି ରଥଦାଣ୍ଡକୁ ପ୍ରକମ୍ପିତ କରିଥିଲା । ଆନନ୍ଦ ଉଲ୍ଲାସରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ । କିନ୍ତୁ ଗୋସାଗରେଶ୍ବର ଛକ ଅତିକ୍ରମ କରିବା ସମୟରେ ସୂର୍ଯ୍ୟାସ୍ତ ହୋଇଯିବାରୁ ପ୍ରାୟ ୬ଟା ୩୫ରେ ରଥ ଟଣା ବନ୍ଦ ରହିଥିଲା ।