ଭୁବନେଶ୍ବର: ବିଚିତ୍ର ଭଗବାନଙ୍କର ବିଚାର । ଜନ୍ମ ଗୋଟିଏ ଜାଗାରେ ଆଉ ଜୁଇ ଜଳିଲା ଆଉ ଗୋଟିଏ ଜାଗାରେ । ଜୁନ 2 ତାରିଖରେ ବାଲେଶ୍ବର ବାହାନଗାରେ ଜୀବନ ଗଲା । ସେଠାରୁ ଏମ୍ସକୁ ଗଲେ ଏହାପରେ ପୁଣି ଜୁନ୍ 4ରୁ 128 ଦିନ କଣ୍ଟେନରରେ ରହିଲେ । ଶେଷରେ ସବୁ ଦିନ ପାଇଁ ସେମାନଙ୍କ ପରିଚୟ ଜଳିଯାଇଛି । ଏବେ ସେମାନଙ୍କ ପରିଚୟ କେଇ ମୁଠା ପାଉଁଶ । ଏହାଠୁ ହୃଦୟବିଦାରକ ଆଉ କଣ ବା ହୋଇପାରେ । ଭୟଙ୍କର ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟଙ୍କର ମଧ୍ୟରୁ ପରିଚୟ ମିଳିନଥିବା 28 ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି । ଭରତୁପୁର ଶ୍ମଶାନରେ ସେମାଙ୍କ ପରିଚୟ ସବୁ ଦିନ ପାଇଁ ଲିଭିଯାଇଛି । ବିଏମସି ପକ୍ଷରୁ ଅପରିଚିତ ମୃତଦେହ ସଂସ୍କାର କରାଯାଇଛି ।
ଏହା ବି ପଢନ୍ତୁ...ବାହାନଗା ଟ୍ରେନ ଟ୍ରାଜେଡି: ୯ ଦିନିଆ ରିମାଣ୍ଡ ଅବଧି ଶେଷ, ଜେଲ ଗଲେ ତିନି ଅଭିଯୁକ୍ତ
ଏମସ, ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲାଯାଇଥିଲା । ଏହାପରେ 28 ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଭରତପୁର ଶ୍ମଶାନକୁ ନିଆଯାଇଥିଲା । ସେଠାରେ ବିଏମ୍ସି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । 28 ମୃତଦେହ ଅନ୍ତିମ ସଂସ୍କାର କରାଯାଇଥିଲା । ଏହାର ଭିଡିଓଗ୍ରାଫି କରାଯାଇଥିଲା । ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ଦାୟିତ୍ୱ ବିଏମ୍ସି ପରିପାଳନ କରିଥିବା ବେଳେ ପ୍ରଦୀପ ସେବା ଟ୍ରଷ୍ଟ ସତ୍କାର କାର୍ଯ୍ୟ କରିଛି । ଟ୍ରଷ୍ଟର ୧୨ ଜଣିଆ ମୃତଦେହ ସତ୍କାରକ ଏହି କାର୍ଯ୍ୟକୁ କରିଛନ୍ତି । ରାତି ସାରା ମୃତଦେହର ସାଥି ସାଜି ଅଜଣା ମୃତଦେହକୁ ପୋଡିଥିଲେ । ଟ୍ରଷ୍ଟର ସମସ୍ତ ସଦସ୍ୟ ନିଷ୍ଠାର ସହ ଧର୍ଯ୍ୟ ଧରି ଶେଷକୃତ୍ୟର ଏହି ମହତ କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି । ଅପରିଚିତ ମୃତଦେହଙ୍କ ଡିଏନ୍ଏ ନମୂନା ଭୁବନେଶ୍ବର ଏମ୍ସରେ ରଖାଯାଇଛି । ଯଦି କୌଣସି ମୃତକଙ୍କ ପରିବାର ଲୋକ ଅଭିଯୋଗ କରନ୍ତି ତେବେ ଡିଏନ୍ଏ ମ୍ୟାଚ୍ କରାଯିବ ବୋଲି ସୂଚନା ମିଳିଛି ।