ଭୁବନେଶ୍ବର:ବାହାନଗା ଟ୍ରେନ ଦୁର୍ଘଟଣା । ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଥିବା ୮୧ଟି ଅଚିହ୍ନା ମୃତଦେହ ମଧ୍ୟରୁ ୨୯ଟି ମୃତଦେହ ଚିହ୍ନଟ ହୋଇଛି । DNA ଟେଷ୍ଟ ଜରିଆରେ ଉକ୍ତ ମୃତଦେହ ଗୁଡିକୁ ଚିହ୍ନଟ କରାଯାଇପାରିଛି । ସେହି ମୃତଦେହ ଗୁଡିକ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଚିହ୍ନଟ ମୃତଦେହ ପଶ୍ଚିମବଙ୍ଗ, ବିହାର ଓ ଓଡି଼ଶାର ହୋଇଥିବା ସୂଚନା ମିଳିଛି । ଆଜି ସେମାନଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ । ତେବେ ପରିବାର ଲୋକେ ମୃତଦେହ ନହେଲେ ଭୁବନେଶ୍ବରରେ ଅନ୍ତିମ ସଂସ୍କାର ବ୍ୟବସ୍ଥା କରାଯିବ । ଏଥିରେ ଭୁବନେଶ୍ବର ମହାନଗର ନିଗମ(BMC) ସହଯୋଗ କରିବ । ଭୁବନେଶ୍ବରର ସତ୍ୟନଗର ଓ ଭରତପୁର ଶ୍ମଶାନରେ ମୃତଦେହ ଦାହ କରାଯିବ ବୋଲି ଜଣାପଡିଛି ।
ବାହାନଗା ଟ୍ରେନ ଦୁର୍ଘଟଣାକୁ ପ୍ରାୟ ମାସେ ପୁରିବାକୁ ବସିଲାଣି । ହେଲେ ଭୁବନେଶ୍ବର ଏମ୍ସରେ ଏବେ ବି ୮୧ଟି ମୃତଦେହ ଚିହ୍ନଟ ହୋଇନପାରି ପଡିରହିଥିଲା । ୮୧ ଜଣଙ୍କ ମୃତଦେହ ପାଇଁ ୯୦ ଜଣ ଦାବିଦାର ଥିଲେ । ମୃତକଙ୍କ ଚିହ୍ନଟ ପ୍ରକ୍ରିୟାରେ ଅସୁବିଧା ଯୋଗୁଁ DNA ଟେଷ୍ଟିଂର ଶେଷ ବିକଳ୍ପ ଗ୍ରହଣ କରାଯାଇଥିଲା । DNA ଟେଷ୍ଟ ପାଇଁ ୯୦ଟି ନମୂନା ଦିଲ୍ଲୀ ପଠାଯାଇଥିଲା । ନମୂନା ଭାବେ ମୃତଯାତ୍ରୀଙ୍କ କେଶ, ଦାନ୍ତ, ହାଡ, ନଖ, ମାଂସ ଓ ଶରୀରର ଅନ୍ୟାନ୍ୟ ଅଙ୍ଗର ନମୂନା ଦିଲ୍ଲୀ ସିବିଆଇ ଫରେନ୍ସିକ ଲ୍ୟାବକୁ ପଠାଯାଇଥିଲା । ଏବେ ୮୧ଟି ମୃତଦେହ ମଧ୍ୟରୁ ୨୯ ଜଣଙ୍କ DNA ରିପୋର୍ଟ ଆସିଛି । ଆଉ ଦୁଇଟି ପର୍ଯ୍ୟାୟରେ ଅନ୍ୟମାନଙ୍କ DNA ରିପୋର୍ଟ ଆସିବ ।