ଭୁବନେଶ୍ବର:ବାହାନଗା ରେଳ ଦୁର୍ଘଟଣାରେ ଏକ ହଜାରରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ 289 ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ 162ଟି ମୃତଦେହ ଭୁବନେଶ୍ଵର ଏମ୍ସରେ ରହିଛି । ତେବେ ଦୁର୍ଘଟଣାକୁ 15 ଦିନ ପୁରିଥିବା ବେଳେ ସେଥିମଧ୍ୟରୁ ଏବେ ବି 81ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏମ୍ସ ପରିସରରେ ଥିବା କଣ୍ଟେନରରେ 81ଟି ମୃତଶରୀର ରଖାଯାଇଛି । ସେଥିରୁ ସମୁଦାୟ 75ଟି ଡିଏନଏ ନମୁନା ସଂଗ୍ରହ ହୋଇ ଦିଲ୍ଲୀ ଏମ୍ସକୁ ରିପୋର୍ଟ ପାଇଁ ପଠାଇ ଦିଆଯାଇଛି ।
ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ଆସି ନିଜ ସମ୍ପର୍କୀୟଙ୍କ ମୃତଦେହ ନେବାକୁ ଚାହିଁ ବସିଥିବା ବେଳେ ଡିଏନଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ମୃତଦେହ ଚିହ୍ନଟ ଲାଗି ଅନେକ ଦାବିଦାର ରହିଥିବା ବେଳେ ଜୁନ 5 ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଥିଲେ ଯେ, ମୃତକଙ୍କ ଚିହ୍ନଟ ପ୍ରକ୍ରିୟାରେ ଅସୁବିଧା ଯୋଗୁଁ ଡିଏନ୍ଏ ଟେଷ୍ଟିଂର ଶେଷ ବିକଳ୍ପ ଗ୍ରହଣ କରାଯାଇଛି । 4ରୁ 5 ଦିନ ମଧ୍ୟରେ ଡିଏନଏ ଟେଷ୍ଟିଂର ରିପୋର୍ଟ ଆସିବ । କିନ୍ତୁ ଆଜକୁ ପ୍ରାୟ 14 ଦିନ ବିତିଗଲାଣି, ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ଆସିପାରିଲା ନାହିଁ । ଏଥିପାଇଁ ଆହୁରି ସମୟ ଲାଗିବ । ସେପର୍ଯ୍ୟନ୍ତ ମୃତକଙ୍କ ପରିବାରଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ: ବାହାନଗା ଟ୍ରାଜେଡି: SCBରେ ଆହତଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ