ଖୋର୍ଦ୍ଧା: ଦୁର୍ନୀତିର ଗନ୍ତାଘର ବୋଲଗଡ଼ ବ୍ଲକ । ଗୁମର ଖୋଲିଲା ବୋଲଗଡ଼ ପଞ୍ଚାୟତ ସମିତି ଅଡିଟ୍ ରିପୋର୍ଟ । ହଜାରେ କି ଲକ୍ଷେ ନୁହେଁ ଏକ କୋଟି 56 ଲକ୍ଷ ଟଙ୍କାର ହିସାବ ସନ୍ଦେହ ଘେରରେ । ଜିଲ୍ଲା ଯୋଜନା ବୋର୍ଡର ବିନା ଅନୁମତିରେ ବିଭିନ୍ନ ଯୋଜନାର ଅନୁଦାନ ଟଙ୍କାର ସୁଧ ଅର୍ଥରେ ପ୍ରକଳ୍ପ ନିର୍ମାଣ କରାଯାଇଛି । 163 ପୃଷ୍ଠାର ଅଡିଟ୍ ରିପୋର୍ଟ ବୋଲଗଡ଼ ପଞ୍ଚାୟତ ସମିତିର ଆର୍ଥିକ କାରବାର ଓ ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ-ବୋଲଗଡ଼ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ
2022-23 ଅର୍ଥିକ ବର୍ଷରେ ବୋଲଗଡ଼ ପଞ୍ଚାୟତ ସମିତିର ଆର୍ଥିକ ପରିଚାଳନା ଆୟ ବ୍ୟୟ ସମ୍ପର୍କିତ ସମୀକ୍ଷାରୁ ଜଣାଯାଇଛି ଯେ, ଶ୍ରମିକଙ୍କୁ ମଜୁରୀ ଦେବାଠାରୁ ଆରମ୍ଭ କରି ସିମେଣ୍ଟ କିଣା , ସାଂସଦ ପାଣ୍ଠିର ବିନିଯୋଗରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି । ସରକାରଙ୍କ ନିର୍ଦ୍ଧାରିତ ଦରଠାରୁ କେଉଁଠାରେ ଅଧିକ ପ୍ରଦାନ କରାଯାଇଛି ତ, ଆଉ କେଉଁଠାରେ ମାଟି ଖୋଳାର ନିୟମ ନଥାଇ ମାଟି ଖୋଳି ଅର୍ଥ ଖର୍ଚ୍ଚ କରାଯାଇଛି । ଏହା ସହ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ବ୍ୟାଙ୍କରେ ଥିବା ଅନୁଦାନ ଟଙ୍କାର ସୁଧ ଖର୍ଚ୍ଚ କରାଯାଇପାରିବ ନାହିଁ ବୋଲି ନିୟମ ରହିଛି । କିନ୍ତୁ ସବୁ ନୀତି ନିୟମକୁ ଫୁ' କରି ଉଡାଇ ଦିଆଯାଇଛି ।