ଭୁବନେଶ୍ୱର:ଭଣ୍ଡବାବା ଗିରଫ । ଆଇଟି ଲେଡିଙ୍କ ଭବିଷ୍ୟ ଗଣନା ଆଳରେ ଦୁଷ୍କର୍ମ ଅଭିଯୋଗ ପରେ ଭଦ୍ରକରୁ ଗିରଫ କଲା କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ନିଜକୁ ଜ୍ୟୋତିଷ ପରିଚୟ ଦେଇ ଜଣେ ଆଇଟି ମହିଳାଙ୍କ ଘରେ ବାସ୍ତୁ ପୂଜା କରିବା ନାଁରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଭଣ୍ଡବାବା ଜଣକ । ଆଉ କେହି ଯଦି ଏହି ଭଣ୍ଡ ବାବା ଦ୍ବାରା ଠକାମିର ଶିକାର ହୋଇଛନ୍ତି ତେବେ ପୋଲିସ ନିକଟରେ ଅଭିଯୋଗ କରିବାକୁ କମିଶନରେଟ ପୋଲିସ ଅନୁରୋଧ କରିଛି ।
ଅଭିଯୋଗ ମୁତାବକ, ଭଣ୍ଡବାବାଙ୍କ ନାଁ ନିଳାମ୍ବର ପାଣି, ଘର ସିନ୍ଦୋଳ ପୀରହାଟ ଭଦ୍ରକ ଅଞ୍ଚଳରେ । ନିଜକୁ ଜଣେ ଜ୍ୟୋତିଷ ଭାବେ ପରିଚୟ ଦେଇ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଜଣେ ଆଇଟି ସେକ୍ଟରରେ କାମ କରୁଥିବା ମହିଳାଙ୍କ ସମ୍ପର୍କରେ ଆସିଥିଲେ । ଘରେ ଅଶାନ୍ତି ଲାଗି ରହୁଥିବା ବେଳେ ଘରର ବାସ୍ତୁ ବଦଳାଇବାକୁ ପରାମର୍ଶ ଦେଇଥିଲେ ସମ୍ପୃକ୍ତ ଜ୍ୟୋତିଷଜଣକ । ତେବେ ଜ୍ୟୋତିଷଙ୍କୁ ବିଶ୍ବାସ କରି ମହିଳା ଜଣକ ପୂଜା କରିବା ପାଇଁ ଘରକୁ ଡାକିଥିଲେ ଓ ଘରର ବାସ୍ତୁ ଦେଖି ୮୩ ହଜାର ଟଙ୍କା ଫୋନ ପେ'ରେ ନେଇଥିଲେ । ଗତ ୧୪ ଡିସେମ୍ବରରେ ପୂଜା କରିବା ଆଳରେ ତାଙ୍କୁ ଏକ ଲବଙ୍ଗ ଖାଇବାକୁ ଦେଇଥିଲେ । ଲବଙ୍ଗ ଖାଇବା ପରେ ମହିଳାଙ୍କୁ ନିଶା ଅନୁଭବ ହୋଇଥିଲା । ଏହାପରେ ତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କ ଘରୁ ଟଙ୍କା ଓ ସୁନା ଚୋରି କରି ନେଇ ପଳାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଦୁଷ୍କର୍ମ ବେଳର ଭିଡିଓ କରିବା ସହ ୨ ଲକ୍ଷ ଟଙ୍କା ନଦେଲେ ଭିଡିଓ ଅନ୍ୟମାନଙ୍କୁ ଦେଖାଇଦେବ କହି ମହିଳାଙ୍କୁ ବ୍ଲାକମେଲିଂ କରିଥିଲା ନିଳାମ୍ବର ପାଣି ।