ଭୁବନେଶ୍ବର:ଧାନର ଏମଏସପିକୁ ନେଇ ପୁଣି ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଧାୟକ ।ଓଡିଶା ସରକାରଙ୍କ ଚାଷୀମାନଙ୍କ ପ୍ରତି ମିଛ ଦରଦ ଧରାପଡ଼ିଛି । ଏମଏସପିରେ ରାଜ୍ୟ ସରକାରଙ୍କ ଅବଦାନ ନେଇ ପ୍ରଶ୍ନ ପଚାରିଲେ କୃଷିମନ୍ତ୍ରୀ ଉତ୍ତର ଦେଉନାହାନ୍ତି । ଧାନର ବୋନସ ବାବଦରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନକୁ ରାଜ୍ୟ ସରକାର ଏଡ଼ାଇ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ କିଛି ଏମିତି କହି ବର୍ଷିଛନ୍ତି ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।
ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଅଣ ତାରକା ପ୍ରଶ୍ନ ସଂଖ୍ୟା ୮୨୦ରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ରାଜ୍ୟ ସରକାରଙ୍କ ଅବଦାନ ସମ୍ପର୍କରେ ପ୍ରଶ୍ନ କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଧାନରେ ବୋନସ୍ ଘୋଷଣା କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାହା ଦେଇ ନଥିବା ବେଳେ ଚଳିତ ଖରିଫ ବିକ୍ରୟ ଋତୁ ପାଇଁ ପ୍ରତି କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ଦେବେ କି ନାହିଁ ସେ ସମ୍ପର୍କରେ ସୁରଜ ପ୍ରଶ୍ନ କରିଥିଲେ । କିନ୍ତୁ ରାଜ୍ୟ ସରକାର ୫୦୦ ଟଙ୍କା ବୋନସ ଦେବାକୁ ସିଧାସଳଖ ଏଡ଼ାଇ ଦେଇ କେନ୍ଦ୍ର ପାଖରେ ଦାବି ରଖିଥିବା ପ୍ରସଙ୍ଗ ଉତ୍ତରରେ ଉତ୍ଥାପନ କରିଥିଲେ ।
କ୍ବୁଣ୍ଟାଲ୍ ପିଛା 2 ହଜାର183 ଟଙ୍କା କେନ୍ଦ୍ର ଦେଉଥିବାବେଳେ ରାଜ୍ୟ ସରକାରଙ୍କ ଅବଦାନ ରହିଛି କଣ ? ଖରିଫରେ 500 ଟଙ୍କା ବୋନସ ଦେବା ନେଇ ବିଜେପିର ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ ରାଜ୍ୟ ସରକାର । ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଛନ୍ତି କୃଷିମନ୍ତ୍ରୀ । 2016ରେ ବରଗଡ଼ ଜିଲ୍ଲା ସୋହେଲାରେ ଏକ ଚାଷୀ ସମାବେଶରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଚାଷୀଙ୍କୁ 100 ଟଙ୍କା ବୋନସ ଦେବେ ବୋଲି ଘୋଷଣା କରିଥିଲେ । ଘୋଷଣାକୁ 7 ବର୍ଷ ବିତି ଯାଇଥିଲେ ସୁଦ୍ଧା ଚାଷୀଙ୍କୁ ବୋନସ ଦେଇନାହାନ୍ତି ରାଜ୍ୟ ସରକାର ।