ଭୁବନେଶ୍ବର:ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଖଣି ଦୁର୍ନୀତି ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଯାହାର ଉତ୍ତର ରଖିଥିଲେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ରାଜ୍ୟରେ ବେଆଇନ ଖଣି କାରବାରରେ ଲିପ୍ତ ଥିବା ଖଣି ଲିଜଧାରୀ କମ୍ପାନୀଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ ଦରଦ ଦେଖିବାକୁ ମିଳିଛି । ଏଥି ଯୋଗୁଁ ଦୀର୍ଘ ପ୍ରାୟ ୭ ବର୍ଷ ପରେ ବି ଖିଲାପି କମ୍ପାନୀଠାରୁ ଆଦାୟ ହୋଇନାହିଁ ଜୋରିମାନା । ୨୬ଟି ଖିଲାପୀ ଖଣି କମ୍ପାନୀଠୁ ୨୯୬୫.୨୮ କୋଟି ଟଙ୍କାର ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ଏପରିକି ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ ସତ୍ତ୍ୱେ କେବଳ ସାର୍ଟିଫିକେଟ କେସ ଦାଏର କରି ବସି ଯାଇଛନ୍ତି ରାଜ୍ୟ ସରକାର । ବିଧାନସଭାରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ହୋଇଥିବା ଖଣି ଦୁର୍ନୀତିର ତଦନ୍ତ କରିଥିଲେ ଜଷ୍ଟିସ୍ ଏମବି ଶାହାଙ୍କ କମିଶନ । କମିଶନଙ୍କ ସୁପାରିଶ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟିଙ୍କ ରିପୋର୍ଟ ଦେଇଥିଲେ । ଏହା ଆଧାରରେ ୨୦୧୭ ଅଗଷ୍ଟ ୨ ତାରିଖରେ ଚୂଡ଼ାନ୍ତ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ରାଜ୍ୟର ମୋଟ ୧୩୩ଟି ଲୁହା ଓ ମାଙ୍ଗାନିଜ ଖଣି ଲିଜଧାରୀଙ୍କଠାରୁ ୧୮୫୨୬.୪୭ କୋଟି ଟଙ୍କାର କ୍ଷତିପୂରଣ ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆଦାୟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୦୦-୦୧ରୁ ୨୦୧୦-୧୧ ମସିହା ମଧ୍ୟରେ ଖଣିଜ ପଦାର୍ଥ ଉତ୍ତୋଳନରେ ଅନିୟମିତତାର ପ୍ରମାଣ ଏହି ଲିଜ୍ଧାରୀ କରିଥିବାର ପ୍ରମାଣ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ-Monsoon Session: ଜାତୀୟ ରାଜପଥ ପ୍ରସଙ୍ଗରେ ବିଜେଡି ବିଜେପି ମୁହାଁମୁହିଁ, ଦୀପାଳିଙ୍କୁ କୁସୁମଙ୍କ ସମାଲୋଚନା