ଓଡିଶା

odisha

ETV Bharat / state

ସମସ୍ତ ଧର୍ମୀୟ ପୋଖରୀର ପୁନଃଉଦ୍ଧାର କରିବ ASI, ଗାନ୍ଧୀ ଜୟନ୍ତୀରୁ କାର୍ଯ୍ୟ ଶୁଭାରମ୍ଭ କଲେ ସାଂସଦ

ଭୁବନେଶ୍ବରରେ ଥିବା ସମସ୍ତ ଧର୍ମୀୟ ପୋଖରୀ ବା ସରୋବରର ପୁନଃଉଦ୍ଧାର କରିବ ଏଏସ୍‌ଆଇ । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଏହି କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Oct 2, 2023, 10:32 PM IST

ସମସ୍ତ ଧର୍ମୀୟ ପୋଖରୀର ପୁନଃଉଦ୍ଧାର କରିବ ASI
ସମସ୍ତ ଧର୍ମୀୟ ପୋଖରୀର ପୁନଃଉଦ୍ଧାର କରିବ ASI

ସମସ୍ତ ଧର୍ମୀୟ ପୋଖରୀର ପୁନଃଉଦ୍ଧାର କରିବ ASI

ଭୁବନେଶ୍ବର: ରାଜଧାନୀରେ ଥିବା ଧର୍ମୀୟ ପୋଖରୀ ବା ସରୋବରର ପୁନଃଉଦ୍ଧାର କରିବ ଏଏସ୍‌ଆଇ । ଏହି ପୁନଃଉଦ୍ଧାର କାର୍ଯ୍ୟ ଅକ୍ଟୋବର ୨ (ସୋମବାର) ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବେଳେ ଏକାମ୍ର କ୍ଷେତ୍ରର ପ୍ରଥମେ କେଦାରଗୌରୀ ମନ୍ଦିରରୁ ଏହାର ଶୁଭାରମ୍ଭ କରାଯାଇଛି । ଏହି ପୁନଃଉଦ୍ଧାର କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ ବିଧିବଦ୍ଧ ଭାବେ ପୂଜା କରାଯାଇ କାର୍ଯ୍ୟର ଆରମ୍ଭ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ପୁନଃଉଦ୍ଧାର ପାଇଁ ୪ଟି କୁଣ୍ଡ ନିଆଯାଇଥିବାବେଳେ ଆଜି ଗୌରୀ ପୋଖରୀର ପୁନଃଉଦ୍ଧାର କରାଯାଇଛି । ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛତା ହିଁ ସେବା ଓ ସୁସ୍ଥତାର ନାରା ନେଇ ଏଏସ୍‌ଆଇ କର୍ମଚାରୀ ଓ ଅଧିକାରୀମାନେ ପୋଖରୀ ସଫେଇ କରିଥିଲେ । ତେବେ ଭୁବନେଶ୍ବରରେ ଥିବା ଧାର୍ମିକ ପୋଖରୀ ସଫାକୁ ନେଇ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ବର୍ଷେ ଭିତରେ ଏହି କାର୍ଯ୍ୟ ଶେଷ ହେବ । ସାଂସଦଙ୍କ ଅନୁମୋଦନ କ୍ରମେ ଏହି କାର୍ଯ୍ୟ କରିବାକୁ ଏଏସ୍‌ଆଇକୁ ଦାୟିତ୍ବ ମିଳିଛି । ସେହିପରି ଗାନ୍ଧୀ ଜୟନ୍ତୀ ଅବସରରେ ଐତିହ୍ୟ ପୀଠର ସୁରକ୍ଷା ଓ ସ୍ବଚ୍ଛତାକୁ ନେଇ ମନ୍ଦିରରେ ସ୍ବଚ୍ଛତା ଅଭିଯାନ ମଧ୍ୟ କରାଯାଇଛି । ଏଏସ୍‌ଆଇର ଅଧିକାରୀ ଓ କର୍ମଚାରୀମାନେ ମିଶି ସଫେଇ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Gandhi Jayanti: ପୁରୀରେ ବୃକ୍ଷ ରୋପଣ, ରକ୍ତଦାନ ଓ ନିଶାମୁକ୍ତ ଓଡ଼ିଶା ସଂକଳ୍

ଅନ୍ୟପଟେ ଅତ୍ୟାଧୁନିକ ଜ୍ଞାନକୌଶଳର କୋନୋମିକ୍ସ ଟେକ୍ନୋଲୋଜିକୁ ନେଇ ପାରମ୍ପାରିକ ଟେକ୍ନୋଲୋଜିରେ ଏହି ପୋଖରୀର ସଫେଇ କାର୍ଯ୍ୟ କରାଯିବ । ଏଥିପାଇଁ Breath Green ଅନୁଷ୍ଠାନକୁ କାର୍ଯ୍ୟଭାର ଦିଆଯାଇଛି । ଏହି ଟେକ୍ନୋଲୋଜି ମାଧ୍ୟମରେ ଦଳ ସଫା ନକରି ମଧ୍ୟ ସମ୍ପୂର୍ଣ୍ଣ ପାଣିକୁ ବିଶୁଦ୍ଧ କରିହେବ ଏବଂ ସମସ୍ତଙ୍କ ବ୍ୟବହାର ଉପଯୋଗୀ କରିହେବ ।

ଏନେଇ ସାଂସଦ କହିଛନ୍ତି, "ମନ୍ଦିରମାଳିନୀ ସହରରେ ଥିବା ପୋଖରୀ ଗୁଡ଼ିକର ଅନେକ ଧର୍ମୀୟ ଗାଥା ରହିଛି । ତେଣୁ ଏହାଦ୍ବାରା ଲୋକଙ୍କ ବିଶ୍ବାସର ପୁନଃଉତ୍ଥାପନ ଓ ଐତିହ୍ୟର ସୁରକ୍ଷା ହୋଇପାରିବ । ତେବେ ଏହି ଟେକ୍ନୋଲୋଜି ଏକ ସଫଳ ପ୍ରକ୍ରିୟା ହୋଇଥିବାବେଳେ କଟକର କୋରା ପୋଖରୀ ଏହାର ଏକ ଉଦାହରଣ ଅଟେ ।" ଏହାସହ ଏହା ଭୁବନେଶ୍ବରରେ ଫଳପ୍ରଦ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ସମସ୍ତ ପୋଖରୀର ସଫେଇ କରାଯିବ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ତେବେ ପୂର୍ବରୁ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଷାନ ରେଡ୍ଡୀଙ୍କ ସହ ସାଂସଦ କଥା ହୋଇଥିଲେ ଆଉ ପୋଖରୀର ସଫା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାର ଫଳ ସ୍ବରୂପ ଆଜିଭଳି ପବିତ୍ର ଦିନରେ ଏହାର ଶୁଭାରମ୍ଭ ହୋଇଛି । ଏନେଇ ଉଭୟଙ୍କୁ ଧନ୍ୟବାଦ ଦେବା ସହ ୬ ମାସରେ କାର୍ଯ୍ୟ ସାରିବାକୁ କହିଛନ୍ତି ସାଂସଦ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details