ଭୁବନେଶ୍ବର:ନୂଆଦିଲ୍ଲୀ ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମଠାରେ 68ତମ ଜାତୀୟ ରେଳ ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହେବାକୁ ଯାଉଛି । ଆଜି(ଶୁକ୍ରବାର) ଏହି ଅବସରରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗ ଓ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୂର୍ବତଟ ରେଳପଥକୁ ଦୁଇଟି ଦକ୍ଷତା ସିଲ୍ଡ ଏବଂ ଗୋଟିଏ ବ୍ୟକ୍ତିଗତ ପୁରସ୍କାର "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର" ମିଳିବା ନେଇ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।
ତେବେ ଉଲ୍ଲେଖନୀୟ ସେବା, ସର୍ବୋତ୍ତମ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ, ଜୋନାଲ ରେଳବାଇ, ପିଏସୟୁକୁ ପୁରସ୍କାର, ଶିଲ୍ଡ ପ୍ରଦାନ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ 21ଟି ଶିଲ୍ଡ ସହିତ ରେଳବାଇ କର୍ମଚାରୀଙ୍କ ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ 100 ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ ।
ଏହି ଅବସରରେ ପୂର୍ବତଟ ରେଳପଥ ବିଭାଗକୁ ମଧ୍ୟ ଦୁଇଟି ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି । ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ପୁରସ୍କୃତ ହେବ ପୂର୍ବତଟ ରେଳପଥ । ଏହା ବ୍ୟତୀତ ପୂର୍ବତଟ ରେଳପଥ ଗୋଟିଏ ବ୍ୟକ୍ତିଗତ ପୁରସ୍କାର "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର" ମଧ୍ୟ ମିଳିବାକୁ ଯାଉଛି । ମାଲ ପରିବହନ ଓ ରାଜସ୍ୱ ଉତ୍ପାଦନରେ ସେବା ପ୍ରତି ଉତ୍ସର୍ଗୀକୃତ ତଥା ନୂତନ ଦ୍ରବ୍ୟ ପରିବହନ ପାଇଁ ନୂତନ ହିତାଧିକାରୀଙ୍କୁ ଆକର୍ଷିତ କରିବା କ୍ଷେତ୍ରରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା (ଅପରେସନ୍) ପ୍ରବନ୍ଧକ ରାନ୍ଦି ମନୋଜ ବାବୁ "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର" ପାଇବାକୁ ମନୋନୀତ ହୋଇଛନ୍ତି ।