ଭୁବନେଶ୍ବର:୩ ଦିନିଆ ଓଡ଼ିଶା ଗସ୍ତରେ ଅନ୍ତର୍ଜାତୀୟ ପୁଞ୍ଜି ନିବେଶ ସଂସ୍ଥା ଏସିଆନ ହେଡ୍ସ ଅଫ ମିଶନ(ASEAN Heads of Mission) । ଗତ ଅଗଷ୍ଟରେ ଦିଲ୍ଲୀରେ ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ (Make in Odisha Conclave’22)ରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁରୋଧ ରକ୍ଷା କରି ସେମାନେ ଏହି ଗସ୍ତରେ ଆସିଛନ୍ତି । ଆସନ୍ତାକାଲି (ଅକ୍ଟୋବର ୨୮) ଭୁବନେଶ୍ବରରେ ଏକ ମେଗା ବିଜନେସ ସମିଟ (Mega Business Summit) ଆୟୋଜିତ ହେବାକୁ ଥିବା ବେଳେ ଏସିଆନର ପ୍ରତିନିଧିମାନେ ସେଥିରେ ଯୋଗଦେବେ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶା ଓ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ କିପରି ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ମଜବୁତ ହେବ ।
ଏହା ବି ପଢନ୍ତୁ- ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ
ଗତକାଲି (ବୁଧବାର) ଏସିଆନର ପ୍ରତିନିଧି ମାନଙ୍କୁ ସରକାରଙ୍କ ବରିଷ୍ଠ ଅଧିକାରୀ ଭୁବନେଶ୍ବର ଏୟାରପୋର୍ଟରେ ସ୍ବାଗତ କରିଥିଲେ । ବରିଷ୍ଠ ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ଅତିଥି ମାନେ ଡେରାସ ସି ଫୁଡ ପାର୍କ (Deras Sea Food Park)ରେ ଭ୍ରମଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ନେୃତ୍ବାଧୀନ ବୈଠକରେ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏଥିରେ ଅନ୍ୟ ପ୍ରମୁଖ ଅଧିକାରୀ ଭାବେ ସରକାରଙ୍କ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଆସନ୍ତା ୩୦ ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ୩ୟ ସଂସ୍କରଣକୁ ଏମାନଙ୍କୁ ସ୍ବାଗତ କରାଯାଇଥିଲା ।
ଓଡ଼ିଶା-ଏସୀୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ:-
ଏସିଆନ ପ୍ରତିନିଧିଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ସରକାରଙ୍କ ବରିଷ୍ଠ ଅଧିକାରୀ ଅସିତ ତ୍ରିପାଠୀ ଓଡ଼ିଶା ଓ ଏସୀୟ ଦେଶ ମଧ୍ୟରେ ବହୁ ସମୟରୁ ରହିଆସିଥିବା ବାଣିଜ୍ୟ ସମ୍ପର୍କ ସମ୍ବନ୍ଧର ଆଲୋଚନା କରିଥିଲେ । ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ଐତିହାସିକ ବାଣିଜ୍ୟିକ ସମ୍ପର୍କ ରହିଥିବା ବେଳେ ଲୋକଙ୍କ ମଧ୍ୟରେ ମଜବୁତ ସମ୍ପର୍କ ମଧ୍ୟ ରହିଆସିଛି । ଏହି ୨ ଅଞ୍ଚଳ ମଧ୍ୟରେ ବଙ୍ଗୋପସାଗର ଲାଗି ସାମୁଦ୍ରିକ ବାଣିଜ୍ୟ ସମ୍ଭବପର ହୋଇଛି । ଦକ୍ଷିଣ ପୂର୍ବ ଏସିଆ ଓ ଭାରତ ମଧ୍ୟରେ ବାଣିଜ୍ୟ ଲାଗି ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାହାଦ୍ବାରା ଏହି ୨ କ୍ଷେତ୍ର ମଧ୍ୟରେ ସମ୍ପର୍କ ଦୃଢୀଭୂତ ହୋଇଛି ।
ଆସନ୍ତାକାଲିର କାର୍ଯ୍ୟକ୍ରମ:-
ଆସନ୍ତାକାଲି (ଅକ୍ଟୋବର ୨୮) ଭୁବନେଶ୍ବରରେ ଏକ ମେଗା ବିଜନେସ ସମିଟର କାର୍ଯ୍ୟକ୍ରମ ରହିଛି । ଏଥିରେ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ସଂସ୍ଥା ଓ ଶିଳ୍ପାନୁଷ୍ଠାନ ମଧ୍ୟ ଯୋଗଦେବେ । ଓଡ଼ିଶା ଓ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କକୁ ଆହୁରି କିପରି ମଜବୁତ କରାଯିବା ସେ ନେଇ ଏଥିରେ ଆଲୋଚନା ହେବ । କାର୍ଯ୍ୟକ୍ରମ ଶେଷ ପରେ ସନ୍ଧ୍ୟା ସମୟରେ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଏହାସହିତା ଆଗାମୀ ମେକ ଇନ ଓଡ଼ିଶା କନକ୍ଲେଭ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।