ଭୁବନେଶ୍ବର:ଓଡ଼ିଶାରେ ଆୟୋଜିତ ହେଉ ପ୍ରବାସୀ ଭାରତୀୟ ଦିବସ । କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆ ସମେତ ଭାରତୀୟ ସାମିଲ ହୁଅନ୍ତୁ । ଏହାଦ୍ବାରା ରାଜ୍ୟରେ ସିଧାସଳଖ ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି କରିଛନ୍ତି ପ୍ରବାସୀ ଓଡ଼ିଆ ତଥା ବାହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ. ଅରୁଣ ପ୍ରହରାଜ । ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ ହୋଇଛି । କାର୍ଯ୍ୟକ୍ରମରେ ବିଦେଶରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆମାନେ ଭାଗ ନେଇଛନ୍ତି । ଲଣ୍ଡନ, ମିଆଁମାର, ବାହାରିନ୍ ଓ ଅନ୍ୟାନ୍ୟ ଦେଶରୁ ପ୍ରବାସୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଦୁବାଇ, ଓମାନ୍, ସାଉଦିଆରବ ଭଳି ଦେଶରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକମାନଙ୍କ ପାଇଁ ଦେବଦୂତ ସାଜିଥିବା ଅରୁଣ ପ୍ରହରାଜ ମଧ୍ୟ ଏଥିରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ।
ଆଗାମୀ ପ୍ରବାସୀ ଭାରତୀୟ ଦିବସର ସମ୍ମିଳନୀ କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ କରିବା ପାଇଁ ଅରୁଣ ପ୍ରହରାଜ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିରେ ପ୍ରବାସୀ ଓଡ଼ିଆ ତଥା ଭାରତୀୟଙ୍କୁ ସାମିଲ ହେବାର ସୁଯୋଗ ମିଳିବ । କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ଓଡ଼ିଶାରେ ସିଧାସଳଖ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ । ଏହାସହିତ ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବହୁ ପୁଞ୍ଜି ନିବେଶର ସୁଯୋଗ ମିଳିବାର ଆଶା କରାଯାଇପାରିବ ବୋଲି ଅରୁଣ କହିଛନ୍ତି । ପ୍ରକାଶଥାଉ କି, ଅରୁଣ ପ୍ରହରାଜ ୨୦୨୩ ପ୍ରବାସୀ ଭାରତୀୟ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।