ଭୁବନେଶ୍ବର: ବିଶ୍ବବ୍ୟାପୀ ପାଳନ ହୋଇଛି ୧୦ମ ଆର୍ଟ ଅଫ୍ ଗିଭିଂ ଦିବସ । ଏଥିରେ ୬ଜଣଙ୍କୁ ଆର୍ଟ ଅଫ୍ ଗିଭିଂ ହିରୋ ସମ୍ମାନରେ ସମ୍ମାନିତ କରାଯାଇଛି । ବିଶ୍ବର ୬ଟି ମହାଦେଶରେ ଏହି ଆର୍ଟ ଅଫ୍ ଗିଭିଂ ଦିବସ ପାଳନ କରାଯାଇଛି । ସେଥିମଧ୍ୟରୁ ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହେଉଛି । ତେବେ ଭାରତର ୨୯ଟି ରାଜ୍ୟ, ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୩୫ଶହ ସ୍ଥାନରେ ଏବଂ ୨ଶହ ସହରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ଏଥିରୁ ବାଦ ପଡ଼ିନି ଓଡ଼ିଶା । ବିଶେଷ କରି ଓଡ଼ିଶାର ୩୦ଟି ଜିଲ୍ଲା, ୧୦ଟି ପ୍ରମୁଖ ସହର, ୩ଶହରୁ ଊର୍ଦ୍ଧ୍ବ ବ୍ଲକ, ୫ହଜାରରୁ ଉର୍ଦ୍ଧ୍ବ ଗ୍ରାମପଞ୍ଚାୟତର ୧୦ ହଜାର ସ୍ଥାନରେ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଛି ।
ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ଲକ୍ଷ୍ୟରେ ୨୦୧୩ ମସିହା ମେ' ୧୭ ତାରିଖଠାରୁ ଶିକ୍ଷାବିତ୍ ଓ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା ‘ଆର୍ଟ ଅଫ୍ ଗିଭିଂ’ ପ୍ରୟାସ । ଯାହାକି ସମଗ୍ର ବିଶ୍ବରେ ପ୍ରସାର ଲାଭ କରି ସାରିଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍ପିଂ ଦି ହେଲ୍ପ ଅର୍ଥାତ ସାହାଯ୍ୟକାରୀଙ୍କୁ ସାହାଯ୍ୟ । ଏହି ଅବସରରେ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସମାଜସେବା କରୁଥିବା ୬ଜଣ ବ୍ୟକ୍ତିଙ୍କୁ ‘ଆର୍ଟ ଅଫ୍ ଗିଭିଂ’ ହିରୋ ସମ୍ମାନରେ ସମ୍ମାନିତ କରାଯାଇଛି ।